ଫଗୁଣ ଚଇତ୍ରରେ - ଉଷାରାଣୀ ଦାସ

0


ଫଗୁଣ ଆସେ ଥିରି ଥିରି
କୃଷ୍ଣଚୁଡାରେ ରଂଗ ଭରି
ଚିତ୍ରପଟ୍ଟ ପରି ଲାଗେ ଧରଣୀ
ପଳାଶ ଫୁଲରେ ହୋଇ ଛାଉଣୀ

ବାସନ୍ତୀ ଦିଏ ବୁଣି ଶିରିଷା ଫୁଲର ବାସ
ବନେ କୁଟଜ ଖେଳାଏ ତାର ସୁବାସ
କୋଇଲିର କୁହୁତାନ କୁମ୍ଭାଟୁଆ ରାବ
ହଳଦୀବସନ୍ତ ଦେଖି ମନେ ଜାଗେ ଭାବ

ଫଗୁଣରେ ଫଗୁଖେଳ ମନେ ରଂଗ ଭରେ
ତନୁମନ ଶିହରିତ ଉଜାଣି ପ୍ରେମରେ
କୀର୍ତ୍ତନଦଳ ସହ ରାଧାକୃଷ୍ଣ ସବାରୀ
ଠାକୁର ବିରାଜମାନେ ପଡେ ଶଂଖ ହୁଳହୁଳି

କୋଇଲି ପୂଜାରେ ପଲ୍ଲୀ ଲଳନା ମାତନ୍ତି
ବଡିଭୋର ମୂଖଧୋଇ ଫୁଲ ଆଣିଯାନ୍ତି
ଧୂପ ଦୀପ ଘଣ୍ଟି ଘଣ୍ଟା ପୂଜାକରି ଆୟୋଜନ
ଛତୁଆ ଭୋଗରେ ଅର୍ଘ୍ୟ ବାଢନ୍ତି ପ୍ରମାଣ

ବୈଶାଖ ପୂର୍ଣ୍ଣିମା ସେତ ନିଆରା ପରବ
ପଣା ସଂକ୍ରାନ୍ତି ନାମେ ତାକୁ ଜାଣନ୍ତି ସରବେ
ଚଉରାରେ ଠେକି ବାନ୍ଧି ପୂଜନ୍ତି ତୁଳସୀ
ଗ୍ରାମ ଦେବତୀ ପିଠେ ଗରଜେ କାଳିସୀ 

ପଲ୍ଲୀବାସୀ ମାନସିକ କରନ୍ତି ପୂରଣ
ଦେବୀ ପାସେ କଳାଘୋଡା କରି ସମର୍ପଣ ।
ରାତିହେଲେ ଗାଁ ଦାଣ୍ଡ ଦିଶେ ଜକଜକ
ଉଡାଖୁଣ୍ଟେ ଭଗତାଙ୍କ ଦିଶିଯାଏ ମୁଖ

ରୂପେ ନିରୁପମା ଦୁଇଟି ଭଉଣୀ
ଫଗୁଣ ଆଉ ଚଇତ
ହରସେ ବିଦାୟ ନିଅନ୍ତି ଧରାରୁ
ଧରି ଜଣେ ଆନ ହାତ ।
🌻🌸🌼🌹🌻🌼
ଉଷାରାଣୀ ଦାସ,
ବିଜ୍ଞାନ ଶିକ୍ଷୟତ୍ରୀ
କାଳିଦାସପୁର,ବାଲେଶ୍ବର

Post a Comment

0Comments
Post a Comment (0)