
ବୈଦିକ ଯୁଗରୁ ଐତିହାସିକ ଯାଏ
ନାରୀର ଆସନ ଉଚ୍ଚ
ଉତ୍ସର୍ଗ ଜୀବନେ ତ୍ୟାଗ ମନୋଭାବେ
ବୀରତ୍ୱରେ ସେ ଯେ ଗୁ୍ଚ୍ଛ।
ରୂପରେ ଅରୂପା ଆମ ବିଶ୍ୱରୂପା
ଜନନୀ,ଭଗିନୀ,ଜାୟା
ଦୁହିତା ରୂପରେ ଦୁଇକୂଳ ହିତେ
ଉଭା ଅବା ମହାମାୟା।
ମାଆର ବାତ୍ସଲ୍ୟ ଭଉଣୀ ସରାଗ
ଝିଅର ହୃଦୟୀ ଭାବ
କଳି କେ ପାରିବ ପତ୍ନୀର ଗୁରୁତ୍ୱ
ଦେଶପାଇଁ ନାରୀ ତ୍ୟାଗ।
ନାରୀ ନୁହଁ ଏଠି ଅବଳା ଦୁର୍ବଳା
ସମାଜର ମହାଶକ୍ତି
ନାରୀର ଓଠରୁ ହସ ଲୁଚିଗଲେ
ଆଖିରେ ଜଳଇ ଜ୍ୟୋତି।
ସ୍ନେହମୟୀ ମା'ଟି କରୁଣାପସରା
ମମତାର ଦାନ ଥାଳି
ଅର୍ଦ୍ଧାଙ୍ଗିନୀ ସାଜି ପୁରୁଷଙ୍କୁ ରଖେ
ଜାଳି ଅଭୟ ଦୀପାଳି ।
ପୁରାଣରେ ଅବା ସତୀ,ସାବିତ୍ରୀସେ
ମହାଶକ୍ତି ପ୍ରଦାୟିନୀ
ରାଜନୀତି ଅବା କ୍ରୀଡା ବିଜ୍ଞାନରେ
ସତେ ବୀର ପ୍ରସବିନୀ।
ଆଚାରେ ବିଚାରେ ସୁସ୍ଥ ଆଉ ସ୍ୱଚ୍ଛ
ସମାଜର ମଙ୍ଗ ଧରି
ଶିକ୍ଷାର ନୌକାକୁ ସମାଜ ଜଳରେ
ବାହିଥାଏ ଅବତରି।
ଦିଅ ହେ ସମ୍ମାନ ରଖ ତାର ମାନ
ଦିଅନାହିଁ ନିର୍ଯ୍ୟାତନା
ଝିଅ ଶିଶୁ ହେଉ ଜନ୍ମାଇ ବଢାଅ
(ହୁଅ)ସ୍ୱାଭିମାନୀ ଉଚ୍ଚମନା।
ଉନ୍ନତି ହେବନି ଆମରି ସମାଜ
ନାରୀ ଜାଗରଣ ବିନା
ଭଲ ମାଆ ବନି ରାମରାଜ୍ୟେ ଟେକ
ମହିଳା ଦିବସ ବାନା।
ନାରାୟଣ ସେନାପତି
ସମ୍ପାଦକ-ସୁନ୍ଦର ମୋ ଭାଷା ସାହିତ୍ୟ
ଜମ୍ଭରା, କେନ୍ଦୁଝର
