ଛୁଟି ଆସୁ ଯେବେ ବିସରିତ ହୋଇ
ଆନନ୍ଦେ ମୋ ନାସାପଥେ
ଆଖିବୁଜି ଦେଇ ଅନ୍ତରେ ମୁଁ ହସେ
ହେ ପ୍ରିୟ ମିଠା ଛୁଆଁ ସାଥେ।
ନାଚି ନାଚି ଆସୁ ତରୁ ଲତା ଫୁଲୁ
ସୁନ୍ଦରୀ ସୁରଭି ରୂପେ
ଚତୁର୍ଦ୍ଦିଗ ବିଞ୍ଚି ମହକାଇ ଦେଉ
ଆଶ୍ୱସ୍ତି ଆଣୁ ତଡପେ।
ସୁଗନ୍ଧିତ ଦ୍ରବ୍ୟୁ ଢଳି ଢଳି ଆସୁ
ପ୍ରେମେ ମଳୟ ସାଥିରେ
ଆଘ୍ରାଣେ ଉନ୍ମାଦ ଭରି ଆଃ ଶୁଣୁ
ଜିହ୍ୱାର ଲାଳ ଗହଳେ।
ବର୍ଷା ଭିଜା ମାଟି ଦେହରୁ ଯଦ୍ୟପି
ଆସୁ ମାଧୁରୀ ବେଶରେ
ମହକ ପୁଲକ ହୃଦୟରେ ଢାଳୁ
ବାନ୍ଧୁ ମମତା ରଜ୍ଜୁରେ ।
ସାଥି ସହଚର ଦେହରୁ ତୁ ଯେବେ
ସଅଳ ଆସୁ ମନକୁ
ଜଣାଇ ଦେଉ ସେ ମୋହର ପିଅର
ପାଖେ ଯାଏ ବୁଲିବାକୁ।
ପ୍ରଣୟ କାଳରେ ଆସୁ ଯେବେ ଲୁଚି
ଉନ୍ମାଦେ ଭାବ ବିହ୍ୱଳେ
ଅସୀମ ସୀମାକୁ ଟପିଯାଉ ତୁହି
ଛନ୍ଦି ଆତ୍ମାକୁ ବିକଳେ ।
ମହତ ଜନର ସୁଗୁଣରେ ଥାଇ
ହେଉ ଯେବେ ଆବିର୍ଭାବ
ଏ ସାରା ଭୁବନ ପୁଲକିତ କରୁ
ବାଣ୍ଟି ତୋ ମିଠା ସୌରଭ।
ତିନି ଅକ୍ଷରୀ ତୁ ସୁନ୍ଦରୀ ଲଳନା
ଅପରୂପା ତୋର ରୂପ
ତୋର ଏଇ ବାସ ଚିର ମହକୁଲୋ
ଯେସନେ ଅପୂର୍ବା ଧୂପ।
⛳ *ନାରାୟଣ ସେନାପତି,ଜମ୍ଭରା,କେନ୍ଦୁଝର*⛳
