
କାହିଁ ଆସୁନୁରେ କାଳିଆ
ନଅ ଦିନ ନଅ ଯୁଗ ଲାଗିଲାଣି
ଧରିଛି ମୁ୍ଁ ଭଙ୍ଗା ଥାଳିଆ।
ବଡ ମଉଜରେ ମାଉସୀ ଘରେ ତୁ
ଖାଉ ପିଉ ଶୋଉ ହରଷେ
କତରା ଲଗା ମୁଁ ପେଟେ ନାହିଁ ଦାନା
ବଞ୍ଚିଛି ଆଜି ତୋ ଭରସେ।
ନଅ ଦିନେ ଦଶ ଅବତାର ସାରି
ମାଉସୀ ମା କୁ ବୁଝାଇ
ଗୁଣ୍ଡିଚା ଯାତରେ ଝୁଲି ଝୁଲି ଆସେ
ଭାଇ ଭଗିନୀକୁ ବୁଝେଇ।
ଶ୍ରୀମନ୍ଦିର ତୋତେ ଝୁରୁଛିରେ ଜଗା
କାନ୍ଦୁଛି ସକେଇ ଲକ୍ଷ୍ମୀ ମା
ଅଭିମାନେ ବସି ଗାଳିଦେଉଅଛି
କଲୁ ନାହିଁ ତା ଦୋଷ କ୍ଷମା।
ଷାଠିଏ ପଉଠି କ୍ଷୀରୀ ପୁରୀ ପିଠା
ଦେଉଥିଲା କେତେ ସରାଗେ
ଏକା ଛାଡିଦେଲୁ ଜଗୁଆଳି କଲୁ
ଆକୁଳେ ବସିଛି ସଜାଗେ।
ଭକତ ଜଗତ ସାଥି ମିତ ଗଣ
ରହିଛନ୍ତି ଆଜି ଅନେଇ
ତିନି ରଥ ଦେଖି ପେଟ ପୁରିଯିବ
ଦେଖିବେ ଆଖିକୁ ନଚେଇ।
ତୁହି ତାଙ୍କ ଧନ ତୁ ତାଙ୍କ ଜୀବନ
ଭରସାର ଭିକ୍ଷାଥାଳ
ତୋତେ ନ ଦେଖି ସେ କେମିତି ବଞ୍ଚିବେ
ହ୍ୱନ୍ତି ଡହଳ ବିକଳ।
ଶୁଣି ତୁରୀ ଭେରି ଶଙ୍ଖ ଘଣ୍ଟା ଧ୍ୱନି
ବିଭୋର ହୋଇସେ ବାଇଆ
ପାଗଳ ପରାୟେ ନାଚି ନାଚି କହେ
ଆସିଲେ ମୋ ଜଗା ବଳିଆ।
🌷 *ନାରାୟଣ ଚନ୍ଦ୍ର ସେନାପତି*🌷
ଜମ୍ଭରା,କେନ୍ଦୁଝର
