
ଫେରିଯାଅ ତୁମେ ଫୁଲେଇ ଫଗୁଣ
ତୁମକୁ ଭରଷା ନାହିଁ
ଲୁହ ନଈରେ ମୁଁ ନିତି ଭିଜେ ଏଠି
କେବଳ ତୁମରି ପାଇଁ ।
ଏଇମିତି ତୁମେ କେତେ ରଙ୍ଗ ମାଖି
ଆସିଥିଲ ଅତୀତରେ
ସାରା ଜୀବନକୁ ଅବଶୋଷ ହୋଇ
ରହିଗଲ ଜୀବନରେ ।
ତୁମ ସାଥେ ବନ୍ଧା ଆଉକା ଜୀବନ
ହସି ହସାଇବା ପାଇଁ
ଫେରିଯାଅ ତୁମେ ଫୁଲେଇ ଫଗୁଣ
ତୁମକୁ ଭରଷା ନାହିଁ ।
ତୁମରି ଦେହର ବଉଳର ବାସ
ମିଠା ହସ ଓଠ ଧାରେ
ମନ ଯଉବନ ମୋତେ ପରସିଲେ
ପଡିଯିବି ନରକରେ ।
ଯେଉଁ ତିନି ଗାର କାଟିତ ଦେଇଛ
ତାକୁ ପାରିବିନି ଡେଇଁ
ଫେରିଯାଅ ତୁମେ ଫୁଲେଇ ଫଗୁଣ
ତୁମକୁ ଭରଷା ନାହିଁ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
