
ଗର୍ଭ ବିଦାରି ଜନମ ଦେଲାସେ
ସନ୍ତାନକୁ ଗେହ୍ଲେ ପରଶ କଲା
ତା ଓଠକୁ ଛୁଇଁ ଗେହ୍ଲ କରିଦେଇ
ନିଜେ ହସି କିଛି କହି ତ ଦେଲା
ତା ଆଖିରେ ଆଖି ମିଶାଇ ଦେଇସେ
ବୁଣି ଦେଲା ମନେ କେତେ ଯେ ଆଶା
ସେ ମାଆର ଛୁଆଁ ମା' ଆଖିର କଥା
ଓଠରୁ ଝରା ସେ ମଧୁର ଭାଷା
ସେହି ମୋର ପ୍ରିୟ ମାତୃଭାଷା....।
ସେ ଭାଷା ଶୁଣିଲେ କାନ ଯେ ପବିତ୍ର
ମନ ମୋ ବିହ୍ୱଳ ଶବ୍ଦ ତରଙ୍ଗେ
ସେ ଭାଷା ବୁଣିଲେ ସମ୍ପର୍କ ବନ୍ଧୁତା
ଭ୍ରାତୃଭାବ ମନେ ସଦା ଗରଜେ।
ସେ ଭାଷା ଶିଖାଏ ବାତ୍ସଲ୍ୟ ମମତା
ପ୍ରେମ,ପ୍ରୀତି ସ୍ନେହ ଏକତା ଗାଥା
ସ୍ୱାଭିମାନୀ ବୀର ଦେଶପ୍ରେମୀ ତ୍ୟାଗୀ
ଗଢି ଫେଡିଥାଏ ସଭିଙ୍କ ବ୍ୟଥା।
ଆମ ମାତୃଭାଷା ମାରିଦେବାପାଇଁ
ବିଦେଶୀ ରଚିଲା ଷଢଯନ୍ତର
ମା'ର କାକଳି ମା ପାଦଧୂଳି
ହଟାଇଲା ତାକୁ କରି କାତର।
ଶହେ ପାନ ଆଉ ଦୁଇଶ ଗୁଆକୁ
ମଧୁ ଗଜପତି ଚାଖି ବସିଲେ
ମାମୁଁ ଲଛମାଙ୍କ ପେଟେଣ୍ଟ ମେଡିସିନ୍
ଫକୀର ଖାଇଲେ ସୁଖେ ରହିଲେ ।
ତା ରୂପ ମାଧୂରିମା ଶିଖାଇଲା ସବୁ
ଚିହ୍ନିଲି ଜଗତ ଯାକ ଜିନିଷ
ତା ଛନ୍ଦ ରସ ରାଗ ଅଳଙ୍କାର ପିନ୍ଧି
ରାଣୀ ବନିଗଲା ମୋ ପରିବେଶ।
ଦୁଃଖଲାଗେ ଆଜି ଭୁଲି ମାତୃଭାଷା
ଭୁଲୁଛି ସନ୍ତାନ ତା ପିତା ମାତାଙ୍କୁ
ମେହେର ବଚନେ ଅଜ୍ଞାନ ସେ ହୋଇ
ଭୁଲେ ମାଟି,ଗୁରୁ ମାତୃଭାଷାକୁ।
ସେହି ଭାଷା ରାଜ ଆମ ଜଗନ୍ନାଥ
ସେ ଭାଷା ଚମକ କୋଣାରକଟା
ସତେ ଅବା ଆତ୍ମା ମିଳାଏ ଆତ୍ମାକୁ
ବିଶ୍ୱର ସଂସ୍କୃତି ଐତିହ୍ୟ ଛିଟା।
ଓଡିଆ ହଜିଛି ଓଡିଆ ଭିତରେ
ତେଜି ଓଡିଆକୁ ହୋଇ ବିଦେଶୀ
ଗରବେ ସାଜିଛି ନୀଳ ଶୁରୁଗାଳ
ଅସମ୍ମାନ କରେ ମାତୃଭାଷାକୁ।
ହେ ସଚ୍ଚା ଓଡିଆ ଓଡିଆମି ଧରି
ନିଜ ମାତୃଭାଷା କର ଉଜ୍ଜ୍ୱଳ
ମାତୃଭୁମି ମାତୃଭାଷାର ସୁରକ୍ଷା
ସରାଗେ ଉନ୍ନତି କର ଉଜ୍ଜ୍ୱଳ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
