
ଧନ ଆଉ ମନ କଳହ କରିଲେ
ନିଜ ବଡ଼ପଣ ନେଇ,
ତିରସ୍କାର କରି ଧନ କହେ ମନ
ମୋ ବିନା ତୋ ଗତି ନାହିଁ।
ଧନ କୁ ବୁଝାଇ ମନ କହେ ଭାଇ
କଳିର ବିହନ ତୁହି,
ତୋତେ ଧରି ଯିଏ ମତେ ଭୁଲିଯାଏ
ସଂସାରେ ଅଯୋଗ୍ୟ ସେହି।
ମନର କଥାକୁ ତାତ୍ସଲ୍ୟ କରିଣ
ଧନ କହେ ଶୁଣ ମନ
ମୋ ଠାରୁ ଆରମ୍ଭ ମୋହ ଠାରେ ଶେଷ
ମୋ ବିନା କି ସରେ ଦିନ।
ବିନମ୍ର କଣ୍ଠରେ ମନ କୁହେ ଧନ
ଆତ୍ମ ଗର୍ବେ ହେଲୁ ବାଇ,
କାଳିଆ ଠାକୁର ଦେଖୁଅଛି ସବୁ
ଆଉ ତୋର ରକ୍ଷ୍ୟା ନାହିଁ।
ହସି କହେ ଧନ ଶୁଣରେ ତୁ ମନ
ଛାର ତୋ କଳା ଠାକୁର,
ଏକା ହୋଇ ସିଏ ଦେଉଳେ ବସିଛି
ସେବାୟତ ସବୁ ମୋର।
ଧନ ଓ ମନର କଜିଆ ଏପରି
ଯୁଗେ ଯୁଗେ ଚାଲୁଅଛି,
ହେ ଜ୍ଞାନୀ ମଣ୍ଡଳୀ ସାହା ହୁଅ ମତେ
କିଏ ବଡ଼ କୁହ ବାଛି।
ଧନ କୁହେ ନୀତି ବଡ଼ ବୋଲି ସିଏ
ମନ କହେ ମୁହିଁ ବଡ଼,
କିଏ ବଡ଼ ଏଠି ବିଚାର କରିଣ
ଯୁକୁତି ଟିକିଏ ବାଢ଼।
ମିଶ୍ର ହୃଷୀକେଶ
