ବେଳ ବୁଡି ଗଲେ
ନଇଁ ଆସେ ସଞ୍ଜ ,
ଚାରିଆଡୁ ମାଡି ଆସେ ଅନ୍ଧାରର
ପ୍ରବଳ  ଜୁଆର,
ସମୟର ଚକା ଭଉଁରୀରେ
ଘୁରି ଘୁରି,
ନିଜକୁ ନିୟନ୍ତ୍ରଣ କରିବାରେ
ସାମର୍ଥ୍ୟ  ହୁଏ ଅପାର  ।
ଅସହାୟ ମନର ରୁଦ୍ଧ କୋଠରୀ ଭିତରେ
ସାହାରାର କାନ୍ଥକୁ ଅଣ୍ଡାଳି ଅଣ୍ଡାଳି
ଭରସାର ହାତ,
ନିର୍ଭରଶୀଳତାର ପାଦ ବଢାଇଲା ବେଳକୁ
ପ୍ରତିରୋଧ କରେ ବନ୍ଦ କବାଟ
ମିଳେନା ଖୋଜି ସୁରକ୍ଷାର ସୁପଥ  ।
ନୀସ୍ତବ୍ଧତାର କୋଳାହଳ ଭିଡରେ
ନିଜ କଥା ଶୁଣୁ ଶୁଣୁ
ଆରମ୍ଭ ହୋଇଯାଏ ଭାବନାର ଉପଦ୍ରବ ,
ଅସ୍ଥିରତାର ଦୋଳିରେ ଝୁଲି
ଭୁଲିଯାଏ ଅଧ୍ୟୟନ କରିବାକୁ
ଜୀବନ ଗ୍ରନ୍ଥ  ।
ଜୀଇଁବାର ରାହା ଖୋଜିଲା ବେଳକୁ
ଚେନାଏ ଆଲୁଅର ଆବଶ୍ୟକତା
ହୁଏ ଅତ୍ୟନ୍ତ ଜରୁରୀ ,
ତଥାପି କାହିଁକି
ରୁଗ୍ଣ ମାନସିକତାର ହୀନ ଆଚରଣକୁ
ପ୍ରଶୟ ଦିଏ ବିବେକ,
ଯଦିଓ ଉଲଙ୍ଘନ କରି ଯାଇଥାଏ
ଆତ୍ମମର୍ଯ୍ୟଦାର ସୁଦୀର୍ଘ ପାଚେରୀ  ।
ସୁଖ ସାଚ୍ଛ୍ଵନ୍ଦର ପାହାଡ
ଘେରିଥିଲେ ବି
ଉପେକ୍ଷା କରି ସବୁ ସମ୍ଭାବନା,
ସଂସାର- ମୋହର ଅନ୍ଧାରରେ ଅନ୍ଧ ହୁଏ
ସାଉଁଟିବାକୁ ପାପର କୁତ୍ସିତ ଆବର୍ଜନା  ।
ସତ୍ ଚିନ୍ତାରେ ଜ୍ଞାନର ଦୀପ ଜାଳି
ଜାଗ୍ରତ ନକଲେ ଚେତନା,
ଶାଶ୍ଵତର ସନ୍ଧାନ ମିଳେନା
ଆସେ ଖାଲି  ଅନୁଶୋଚନା  ।

କୋହି, ଗଡିଆ, ମୟୂରଭଞ୍ଜ