
ପୁଣ୍ୟଭୂମି ଉତ୍କଳ ଭୂଖଣ୍ତର ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିବା ଅଚଳ ଅଟଳ ମହାବାହୁ, ସାକାର ଓ ନିରାକର, ଲୀଳାମୟ ମର୍ଯ୍ୟାଦାବନ୍ତ ଶ୍ରେଷ୍ଠ ପୁରୁଷ ପୁରୁଷୋତ୍ତମ, ରସରାଜ ଜଗତର ନାଥ ଶ୍ରୀଜଗନ୍ନାଥ ବିରାଜିତ । ସତ୍ୟଯୁଗରେ ସେ ସଚ୍ଚିଦାନନ୍ଦ, ତ୍ରେତାଯୁଗରେ ସେ ଶ୍ରୀରାମ, ଦ୍ୱାପର ଯୁଗରେ ସେ ଶ୍ରୀକୃଷ୍ଣ ଓ କଳିଯୁଗରେ ସେ ଶ୍ରୀଜଗନ୍ନାଥ । ଅଦୂରରେ ନୀଳ ପାରାବାର ନୀଳ ଆକାଶରେ ହଜିଯାଇଛି ପ୍ରାଚୀ ଦିଗ୍-ବଧୂ ନୀଳଶୈଳ । ନୀଳଆକାଶକୁ ସ୍ପର୍ଶ କରିଛି ବଡ ଦେଉଳ । ସେଠି କେବଳ ସାମ୍ୟ ଓ ମୈତ୍ରୀର ମୂର୍ତ୍ତୀମନ୍ତ ପତିତପାବନଙ୍କ ଶୋଭାଶ୍ରୀ ମଣ୍ତିତ କରେ ଶ୍ୱେତ, ପୀତ, ଆରକ୍ତ ବର୍ଣ୍ଣର ନେତ ଅନବରତ ଫରଫର ଉଡେ । ଭାରତ ବର୍ଷର ଚତୁଃଧାମ ଭିତରେ ଶ୍ରେଷ୍ଠ ଧାମ ପୁରୁଷୋତ୍ତମ ଧାମ, ଯେଉଁଠି କେବଳ ସକଳ ଧର୍ମ ଓ ସଂସ୍କୃତିର ମହାମିଳନ ଘଟିଛି । ସେଠି ସବୁ ମହାନ୍, ଠାକୁର ମହାନ୍, ଦାଣ୍ତ ମହାନ, ଶରଧାବାଲି ମହାନ, ପଣ୍ତା, ନେତ, ମହାବେଦୀ, ମହାପ୍ରସାଦ ମହାନ, ଏପରିକି ଜୀବନର ଶେଷ ମହାଯାତ୍ରା ସ୍ୱର୍ଗଦ୍ୱାର ମହାନ । ତେଣୁ ଜଗନ୍ନାଥ ଦେଶକୁ କୁହାଯାଇଛି-
"ବର୍ଷାଣାମ୍ ଭାରତ ଶ୍ରେଷ୍ଠଃ
ଦେଶାନାମ୍ ଉତ୍କଳଂ ସ୍ମତମ୍ ।
ଉତ୍କଳସ୍ୟ ସମୋଦେଶଃ
କୁତ୍ର ନାସି ମହିତଳେ ।"
ଉତ୍କଳ ଦେବଦେବ ଜଗନ୍ନାଥଙ୍କ ପୁଣ୍ୟଭୂମି ଓ ପବିତ୍ର ଦେଶ ଭାରତବର୍ଷରେ ପୁଣ୍ୟତମ ଭୂମି ଭାବେ ଓଡିଶା ଖ୍ୟାତ ଓ ସମଗ୍ର ବିଶ୍ୱ ମାନବର ତୀର୍ଥଭୂମି ପାଲଟିଛି । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢି ଉଠିଛି ଉତ୍କଳର ଧର୍ମ, ଧାରଣା, ସାହିତ୍ୟ ସଂସ୍କୃତି, ଶିକ୍ଷା, ଜୀବନବୋଧ, ଐତିହ୍ୟ, ପରମ୍ପରା, ପୁରୋଦୃଷ୍ଟି ଓ ସମ୍ୟକ୍ ଦର୍ଶନ । ସେହିଁ କେବଳ ଉତ୍କଳର ପ୍ରାଣକେନ୍ଦ୍ର ଓ ପରଂବ୍ରହ୍ମ । ସମସ୍ତ ଅବତାରର ସ୍ରଷ୍ଟା ଅବତାରୀ । ସିଦ୍ଧାନ୍ତ ଦର୍ପଣକାର ମହାମହୋପାଧ୍ୟାୟ ହରିଚନ୍ଦନ ମହାପାତ୍ର 'ସାମନ୍ତ ସିଦ୍ଧାନ୍ତ' ଦର୍ପଣରେ ଦର୍ଶାଇଛନ୍ତି-
"ଯା ଲୀଳା ଗୋକୁକାନ୍ତ ମଧୁପୁରୀ ରଚିତା ଯା କୃତ୍ୱା ଦ୍ୱାରବତ୍ୟାଂ
କ୍ଷିତ୍ୟାଂ ନିତ୍ୟାବଦାରୈଃ ପ୍ରତିଯୁଗ ମୁଚିତାଃ ସୂଚିତାଃ-ପ୍ରାଙ୍ନୀନ୍ଦ୍ରୈଃ
ତାସ୍ତା ବିସ୍ତାରୟନ ଯୋ ବସତି ଶିତିଗିରୌ ବେଦ ବେଦ୍ଯୋଃବତାରୀ
ନିତ୍ୟେ ଧାମ୍ନି ସ୍ୱନାମ୍ନି ସ୍ଫୁରତୁ ମୁରରିପୂଃ ସୋଃୟ ମନ୍ତଃ ସଦାନଃ ।"
ଶ୍ରୀଜଗନ୍ନାଥ ଅବତାରୀ । ସେବେଦ ଦ୍ୱାରା ଜଣାଯାଇପାରନ୍ତି । ସେ ମୁରାରୀ ନିତ୍ୟଧାମ ବୈକୁଣ୍ଠରୂପୀ ନୀଳାଚରରେ ବିରଜିତ ଓ ଦ୍ୱାରକା, ଗୋକୁଳ, ମଥୁରାରେ ସେ ଯେଉଁ ଲୀଳା ପ୍ରକଟ କରିଛନ୍ତି, ପ୍ରତିଯୁଗରେ ପୃଥିବୀରେ ନିତ୍ୟାବତାର ଯାହାସବୁ କରିଯାଇଛନ୍ତି ସେସବୁ ବ୍ୟାସ ଆଦି ଋଷିଗଣ ପୂର୍ବରୁ ବର୍ଣ୍ଣନା କରିଯାଇଛନ୍ତି । ବର୍ତ୍ତମାନ ସେହି ମୁରାରୀ ନୀଳାଚରରେ ରହି ସବୁ ଲୀଳାର ବିସ୍ତାର ଦିଗରେ ପ୍ରେରଣା ଦାୟକ ପାଲଟିଛନ୍ତି ।
ସେ ସର୍ବବ୍ୟାପି, ପରମାତ୍ମା ଓ ଭଗବାନ ବ୍ରହ୍ମଙ୍କର ଐଶ୍ୱର୍ଯ୍ୟ । ରୂପ, ମୋକ୍ଷ, ଭୋଗ ଓ ଭକ୍ତି ବିତରଣ ବିଷୟରେ ସେ ସଂପୂର୍ଣ୍ଣ ଦକ୍ଷ, ପ୍ରେମ ବିଭୂତିରେ ସେ ପରିପୂର୍ଣ୍ଣ ଓ ଶରୀର ଜ୍ଞାନାନ୍ଦରେ ସମ୍ପୂର୍ଣ୍ଣ । ସେ ବଂଶୀଧର ଓ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଛନ୍ତି । ସେ ମହାଦେବୀ ମହାଲକ୍ଷ୍ମୀ, ଭୃଦେବୀ ଓ ଲୀଳା ଆଦି ଦେବଦବୀଙ୍କ ଦ୍ୱାରା ସେବିତ । ସେହିଁ ନୀଳାଚଳ ରୂପକ ବୈକୁଣ୍ଠର ପ୍ରଭୃ ଓ ଗତି ମୁକ୍ତି ଦାତା ଜଗତୈଶ୍ୱର ।
ମାଦଳାପାଞ୍ଜି ଅନୁସାରେ କେଶରୀ ବଂଶର ଆର୍ବିଭାବ ସମୟରେ ଯଯାତି ପ୍ରଥମ ପାଟରାଜା ହେବାପରେ ଓଡିଶାର ରାଷ୍ଟ୍ର ଦେବତାଙ୍କର ଅନ୍ୱେଷଣ କରି ତାଙ୍କୁ ଆଣି ଶ୍ରୀକ୍ଷେତ୍ରେ ପ୍ରତିଷ୍ଠା କରିଥିଲେ । ପ୍ରଭୃ ଶ୍ରୀଜଗନ୍ନାଥ ପୁରୀରେ ରାଜଶକ୍ତି ଦ୍ୱାରା ପ୍ରତିଷ୍ଠିତ ହେବାପରେ ତାଙ୍କର ମହିମା ପ୍ରକଟିତ ହୋଇଆସିଛି । ପ୍ରଥମେ ଶବରର ଠାକୁର, ପରେ ପରେ ଜୈନ୍ୟ, ବୌଦ୍ଧ, ତାନ୍ତ୍ରିକ, ଶୈବ୍ୟ, ବୈଷ୍ଣବ, ଶାକ୍ତ, ଗାଣପତ୍ୟ ଓ ସୌର ଆଦି ସକଳ ଆର୍ଯ୍ୟଧର୍ମ ଶାଖାଦ୍ୱାରା ଗୃହୀତ ହୋଇ ଆସିଛନ୍ତି । ସେହିଁ କେବଳ ସକଳ ବିଶ୍ୱାସର ପ୍ରତୀକ, ବହୁମତ ସମନ୍ୱିତ ଧର୍ମର ଧାରକ, ବିଭିନ୍ନ ଧର୍ମର ନିର୍ଯ୍ୟାସ, ସାର୍ବଜନୀନ ଉଦାର ଦୃଷ୍ଟିଭଙ୍ଗୀର ସୂତ୍ରଧର ।
ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ହେ ପରେ ତାଙ୍କୁ ମୂଳରୁ ବିଷ୍ଣୁ ବା ସୂର୍ଯ୍ୟ ପର୍ଯ୍ୟାୟଭୂକ୍ତ କରାଯାଇଛି । ବିଭିନ୍ନ ପ୍ରଚାର ଓ ଉଦାହରଣ ଦେଇ ତାଙ୍କୁ ପୁରୁଷୋତ୍ତମ ଆଖ୍ୟା କରି ପ୍ରଥମାବସ୍ଥାରେ ସେ ଶ୍ରୀନୃସିଂହଙ୍କ ବିଭୂତି ଓ ପରବର୍ତ୍ତୀ ସମୟରେ ତାଙ୍କୁ ବାସୁଦେବ ଶ୍ରୀକୃଷ୍ଣଙ୍କ ସହ ଚିହ୍ନିତ କରାଯିବାର ପ୍ରୟାସ କରାଯାଇଛି । କିନ୍ତୁ ଶ୍ରୀଜଗନ୍ନାଥ ହିଁ କେବଳ ଶ୍ରୀଜଗନ୍ନାଥ । ସେ ସର୍ବମୟ, ବ୍ରହ୍ମାଣ୍ତ ସ୍ୱତଃ ଶୁଭ୍ର ଶ୍ରୀଜଗନ୍ନାଥ, ନିର୍ମଳ ଶୋଭାଧାରକ, ସର୍ବବସ୍ତୁ ପ୍ରଦ, ସର୍ବମୟ ପୁରୁଷ, ଗୁଣାତୀତ ସର୍ବବ୍ୟାପୀ ଅନନ୍ତ, ଅଣାକାର, ନିର୍ଗୁଣ, ନିରାକାର । ଶ୍ରୀଜଗନ୍ନାଥଙ୍କୁ ଅନାର୍ଯ୍ୟ ବା ଶବରମାନଙ୍କ ଦେବତା ଭାବେ ସ୍ୱୀକାର କରାଯାଇଛି । ଭାରତୀୟ ଆର୍ଯ୍ୟମାନଙ୍କ ପବିତ୍ର 'ବେଦ'ରେ (ଋକ୍ ବେଦର/10/12/155/3) ସମୁଦ୍ର କୂଳରେ ଦାରୁ ଭାସୁଥିବାର ବର୍ଣ୍ଣନାରେ କୁହାଯାଇଛି :
"ଅଦୋ ଯଦ୍ଧାରୁ ପ୍ଳବତେ ସିନ୍ଦୋଃ ପାରେ ଅପୁରୁଷୋମ୍
ତଦା ରଭସ୍ୱ ଦୁର୍ହଣୋ ତେନ ଗଚ୍ଛ ପୁରସ୍ତରମ୍ ।"
ଶ୍ଳୋକର ଅର୍ଥ କରି ପଣ୍ତିତ ନୀଳକଣ୍ଠ ଦାସ କହିଛନ୍ତି ଯେ,"ଜଣେ ବୈଦିକ ଋଷି ଦୁର୍ହଣ(ଯାହାର ଅର୍ଥ ଦୁର୍ବଚନ, କୁଭାଷୀ)ଙ୍କୁ ସମ୍ବୋଧନ କରି କହିଛନ୍ତି- "ସିନ୍ଧୁତୀରରେ ଭାସମାନ ଏହି ଅପୁରୁଷ ଦାରୁକୁ ଛେଦନ କରି ପରମପଦ ଲାଭକର ।" ଏଠାରେ ଦାରୁକୁ ଅପୁରୁଷ କହିବା ଦ୍ୱାରା ଅନାର୍ଯ୍ୟ ଦେବତା ବା ଶବରମାନଙ୍କ ଦେବତା ଭାବେ ଗ୍ରହଣ କରାଯାଇଛି । ଶ୍ରୀକ୍ଷେତ୍ରରେ ଦଇତାପତି ମାନେ ଶ୍ରୀଜଗନ୍ନାଥ ମହାପ୍ରଭୃଙ୍କ ଜ୍ଞାତି କୁଟୁମ୍ବ ପରିଜନ ନାମରେ ପରିଚିତ । ପ୍ରାଚୀନ ଶବରମାନଙ୍କ ବଂଶଧର ଦଇତା ପତିମାନେ ପ୍ରତ୍ୟେକ ବର୍ଷ ସ୍ନାନ ପୂର୍ଣ୍ଣିମା ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୃଙ୍କ ସକଳ ପୂଜାର୍ଚ୍ଚନା, ବିଧିବିଧାନ ଅନୁସାରେ ସଂପାଦନ କରିଥାନ୍ତି । ତେଣୁ ଶ୍ରୀକ୍ଷେତ୍ରେ ବିରାଜିତ ପରମାରାଧ୍ୟ ଦେବତା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଯେ ଶବର ପୂଜିତ ଦାରୁ ଦେବତା ଏହା ଅସ୍ୱୀକାର କରିହେବ ନାହିଁ । ଶ୍ରୀଜଗନ୍ନାଥଙ୍କୁ 'ମାଦଳା' ମଧ୍ୟ କୁହାଯାଏ । 'ମାଦଳା' ଅର୍ଥ ହସ୍ତପଦ ବିହୀନ ଗଣ୍ତି ବା ମାଦଳା । ଶବରମାନଙ୍କ ମଧ୍ୟରେ ମାଦଳା ପୂଜା ବହୁକାଳରୁ ପ୍ରଚଳିତ । ସେମାନେ ହାତ ପାଦ ବିହୀନ ମୁଖ ଚକ୍ଷୁ ବିଶିଷ୍ଟ କାଠଗଣ୍ତକୁ ପୂଜା କରିଥାନ୍ତି । ବଡଦେଊଳର ରତ୍ନସିଂହାସନେ ବିରାଜିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସମସ୍ତେ କାଷ୍ଠଖଣ୍ତ ପରି ଦିଶିଥାନ୍ତି । ଶବର ଦେବତା 'କାମୋଦ୍ରଦିଆ' ମାଟିରେ ପ୍ରସ୍ତୁତ ଅଣ୍ତା ବା ମାଦଳ ଭଳି ଦୃଶ୍ୟମାନ ହୁଅନ୍ତି । 'ସ୍କନ୍ଦପୁରାଣ' କୁହାଯାଇଛି, ସମୁଦ୍ର ତଟରେ ନୌକା ସଦୃଶ ଶ୍ରୀକ୍ଷେତ୍ର ଯୂପପରି ମହାନ୍ ନ୍ୟଗ୍ରୋଧ ଦାରୁ ପୂଜା ପାଉଛନ୍ତି :
"ନୀଳାଦ୍ରୌ ଶଙ୍ଖମଧ୍ୟେ
ଶତଦଳ କମଳ ରତ୍ନ ସିଂହାସନସ୍ଥ
ନାନାଳଙ୍କାର ଯୁକ୍ତଂ ନବଘନ ରଚିରଂ
ସଂଯୁକ୍ତଂ ଜାଗ୍ରତେନ
ଭଦ୍ରାୟା ବାମଭାଗେ ରଥ ଚରଣ ଯୁତଂ
ବ୍ରହ୍ମ ରୁଦ୍ରେଣ ବନ୍ଦ୍ୟଂ
ଦେବାନାଂ ସାରମେକଂ ସକଳ ଗୁଣମୟଂ ବ୍ରହ୍ମଦାରୁ ନମାମି "।
ଡକ୍ଟର ବଂଶୀଧର ମହାନ୍ତିଙ୍କ ମତାନୁସାରେ ଓଡିଆ ସଂସ୍କୃତିର ପରିଚୟ ଆଦିବାସୀ ସଂସ୍କୃତିହିଁ ପ୍ରଥମ ଓ ପ୍ରଧାନ ପଥପ୍ରଦର୍ଶକ ତଥା ଜଗନ୍ନାଥଧର୍ମ ମୂଖ୍ୟତଃ ପ୍ରଥମ ଆଦିବାସୀ ଧର୍ମ । ପରିବର୍ତ୍ତିତ ପରିସ୍ଥିତିରେ ସମୟକ୍ରମେ ଶବରମାନଙ୍କ 'ମାଦଳା'ମୂର୍ତ୍ତି ନୀଳମାଧବ'ରୂପେ ରୂପାନ୍ତରିତ ହୋଇଛନ୍ତି ଓ ଏହି ମୂର୍ତ୍ତି ମଧ୍ୟ ଦାରୁ(ଦାରବୀ) ଭାବରେ ସ୍ୱୀକୃତି ଲାଭ କରିଛନ୍ତି । ପରବର୍ତ୍ତୀକାଳୀନ ଜୈନ ଜଗନ୍ନାଥ' ମୂଳରେ ଆଦିବାସୀ ମାନଙ୍କର 'ଜଗନ୍ତ', ଜୈନମାନଙ୍କ ଜଗନ୍ତ' ସହିତ ସ୍ୱଧର୍ମର ସର୍ବୋକୃର୍ଷ ପ୍ରତିପାଦକ ଶବ୍ଦ 'ନାଥ' ଯୋଗକରି 'ଜଗନ୍ତନାଥ' ଅଭିହିତ ହେଲା ଓ 'ଜଗନ୍ନାଥ' ଶବ୍ଦ ହେଉଛି ଏହି 'ଜଗନ୍ତନାଥ' ଶବ୍ଦର ରୂପାନ୍ତର । ଏପରିକି ଶବରମାନଙ୍କ 'ଶବରୀ ନାରାୟଣ' ପରବର୍ତ୍ତୀ ସମୟରେ ଜଗନ୍ନାଥ ନାମସହ ସମୀକୃତ ହୋଇଛି ଓ 'ଶବରୀ ନାରାୟଣ' ବସ୍ତୁତଃ 'ନିମ କାଠ'ରେ ଗଢା ଏକ ମୁଣ୍ତଯୁକ୍ତ ସ୍ତମ୍ଭ ବିଶେଷ ବୋଲି ପଣ୍ତିତ ନୀଳକଣ୍ଠ ଦାସ ଦର୍ଶାଇଛନ୍ତି ।
ଅଧ୍ୟାପକ ପ୍ରଭାତ ମୂଖାର୍ଜୀ ଶ୍ରୀଜଗନ୍ନାଥ ମୂଳରୁ କୃଷ୍ଣ ବାସୁଦେବ ବୋଲି ଦର୍ଶାଇଛନ୍ତି । ସେ ସୁଭଦ୍ରାଙ୍କୁ କୃଷ୍ଣ ବାସୁଦେବଙ୍କ ଭଗିନୀ ଓ ସ୍ତ୍ରୀ ଭାବେ ପରିକଳ୍ପନା କରିଛନ୍ତି । ତାତ୍ତ୍ୱିକ ଦୃଷ୍ଟିରୁ ଭାଗବତର ଉପାସ୍ୟ ବାସୁଦେବ ଶ୍ରୀକୃଷ୍ଣ ବୈଷ୍ଣବ ଧର୍ମର ଉପାସ୍ୟ ବିଷ୍ଣ ବା ସୂର୍ଯ୍ୟଙ୍କ ଠାରୁ ପୃଥକ । ବୌଦ୍ଧମାନଙ୍କ ପ୍ରଚଳିତ ଜଗନ୍ନାଥ ଧର୍ମ, ଭାଗବତ ଧର୍ମ ଓ ତାହାର ଉପାସ୍ୟ ଦେବତା ବାସୁଦେବ ଶ୍ରୀକୃଷ୍ଣଙ୍କ ଠାରୁ ସ୍ୱତନ୍ତ୍ର । ବୈଷ୍ଣବମାନେ ବାସୁଦେବ ଶ୍ରୀକୃଷ୍ଣଙ୍କୁ ବିଷ୍ଣୁଙ୍କର ଅଂଶ ବିଶେଷ ବା ଅବତାର ଭାବେ ଅପପ୍ରଚାର କରିଥିବା ସୂଚାଏ । ଏହାକୁ ଲକ୍ଷ୍ୟରେ ରଖି କବି ଜୟଦେବ ଗୀତ ଗୋବିନ୍ଦ'ରେ ଲେଖିଛନ୍ତି :
"ନିନ୍ଦସୀ ଯଜ୍ଞ ବିଧେରହଃ ଶ୍ରୁତିଜାତମ୍
ସଦୟ ହୂଦୟ ଦର୍ଶିତ ପଶୁଘାତମ୍
କେଶବ ଧୃତ -ବୃଦ୍ଧ ଶରୀର-ଜୟ ଜଗଦୀଶ ହରେ ।"
ଜୟଦେବଙ୍କ ଏହି ଉକ୍ତି ଅନୁଯାୟୀ ଦ୍ୱାରକା କେଶବ ବା ବାସୁଦେବ ଶ୍ରୀକୃଷ୍ଣ ଉତ୍କଳ ଭୂଖଣ୍ତର ରାଷ୍ଟ୍ର ଦେବତା ଜଗନ୍ନାଥଙ୍କ ସ୍ଥାନ ଅଳଙ୍କୃତ କରିଛନ୍ତି । ସେଭଳି ଇନ୍ଦ୍ରଭୂତି ତାଙ୍କର 'ଜ୍ଞାନସିଦ୍ଧି'ର ଆରମ୍ଭରେ ଜଗନ୍ନାଥଙ୍କୁ ବୁଦ୍ଧମୟ ରୂପେ ଦର୍ଶାଇଛନ୍ତି-"ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜୀନ ବିରାଜିତଂ, ସର୍ବ ବୁଦ୍ଧମୟଂ ସିନ୍ଧି ବ୍ୟାପିନୋପମଂ ।" 'ବରାହ ପୁରାଣ'ରେ ବିଷ୍ଣୁଙ୍କ ଦଶାବତାର ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ପର୍ଶୁରାମ, ଦାଶରଥି, ରାମ, ବସୁଦେବ-କୃଷ୍ଣଙ୍କ ଚିତ୍ର ଦେଖିବାକୁ ମିଳେ, ଏଥିସହ ବିଷ୍ଣୁଙ୍କର ବୁଦ୍ଧ ଓ କଳକୀ ଅବତାର ବର୍ଣ୍ଣନା ମଧ୍ୟ ଅଛି । ସେଭଳି 'ଗରୁଡ ପୁରାଣ'ରେ ଜଗନ୍ନାଥଙ୍କୁ ଗୋବିନ୍ଦ, ଦାମଦୋର, ବିଷ୍ଣୁ, କେଶବ, ନାରାୟଣ, ହରି, ତ୍ରିବିକ୍ରମ, ଓ ବାସୁଦେବ ଆଦି ନାମରେ ନାମିତ । 'ଅଗ୍ନି ପୁରାଣ'ରେ ଜଗନ୍ନାଥଙ୍କୁ ମଧ୍ୟ ଶାଳଗ୍ରାମ, ସଙ୍କର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, କୃଷ୍ଣ, ବିଷ୍ଣୁ, ନୃସିଂହ, ବାମନ, ତ୍ରିବିକ୍ରମ, ଅନନ୍ତ ଓ ସୁଦର୍ଶନ ଭାବରେ ପରିଚିତ ହୋଇ ଆସିଛନ୍ତି । ଶ୍ରୀକ୍ଷେତ୍ର ଧାମର ଶ୍ରୀଜଗନ୍ନାଥ କେଉଁ ଅନାଦି କାଳରୁ ଏ ଦେଶର ସାମାଜିକ ଜୀବନରେ ମର୍ଯ୍ୟାଦାବନ୍ତ ଓ ଉପାସିତ ତାହା ବିଭିନ୍ନ ତାତ୍ତ୍ୱିକ ବିଚାରରୁ ସ୍ପଷ୍ଟ ହୁଏ । 'ନୃସିଂହ ପୁରାଣ'ରେ ପୁରୁଷୋତ୍ତମ ପୀଠ ପବିତ୍ର ଶ୍ରୀକ୍ଷେତ୍ରକୁ ପୃଥିବୀର ସ୍ୱର୍ଗ ସହ ତୁଳନା କରାଯାଛି -
"ପୁରୁଷୋତ୍ତମ ପରଂକ୍ଷେତ୍ରଂ ନାସ୍ତ୍ୟତ୍ର ପୃଥିବୀତଳେ
ଭୂସ୍ୱର୍ଗ ମିତି ବିଖ୍ୟାତଂ ଦେବାନାମପି ଦୁର୍ଲ୍ଲଭଂ ।"
ପୁରୁଷୋତ୍ତମ ପୀଠରେ ମହାପ୍ରଭୃ ପରଂବ୍ରହ୍ମ ଦାରୁ ରୂପେ ପୂଜିତ । ପବିତ୍ର ଶ୍ରୀକ୍ଷେତ୍ର ପୃଥିବୀରେ ଅତୁଳନୀୟ । 'ଶିବ ପୁରାଣରେ' ଅଛି-"ପୁରୁଷୋତ୍ତମତ୍ ପରଂକ୍ଷେତ୍ରଂ ନାସ୍ତ୍ୟନଦ୍ ଭବମୋଚନଂ, ଯତ୍ର ସାକ୍ଷାତ୍ ପରଂବ୍ରହ୍ମ ଦାରୁବ୍ୟଜ୍ଜ ଶରୀର୍ଯ୍ୟଭୂତ ।"
ଏଠି ନାନା ଜାତି, ଗୋଷ୍ଠୀ, ସଂପ୍ରଦାୟ ମିଳନ ଶ୍ରଦ୍ଧାର ପୀଠ ଶ୍ରୀକ୍ଷେତ୍ର । ଭାରତବର୍ଷକୁ ଓ ବିଶ୍ୱବାସୀଙ୍କୁ ଶ୍ରୀଜଗନ୍ନାଥ ପୀଠର ଶ୍ରେଷ୍ଠ ଅବଦାନ ସାମ୍ୟଭାବ ଓ ସମନ୍ୱୟ ଚିନ୍ତା । ଶ୍ରୀକ୍ଷେତ୍ରର ମହାପ୍ରସାଦ ନିକଟରେ ବ୍ରାହ୍ମଣଠାରୁ ଚଣ୍ତାଳ ସକଳେ ସମାନ । ଆଚାର୍ଯ୍ୟ ରାମାନୁଜଙ୍କ ମତରେ-"ନ ଜାତି କାରଣଂ ଲୋକେ ଗୁଣାଃ କଲ୍ୟାଣ ହେତବଃ" । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଶ୍ରୀକ୍ଷେତ୍ର ଦୁର୍ଲ୍ଲଭ ବୋଲି ଯୁଗଯୁଗର ବିଶ୍ୱାସ ରହି ଆସିଛି । ଏଠି ସ୍ୱୟଂ ବିଶ୍ୱକ୍ରର୍ମା ଦେବତା, ଦେଉଳ ଓ ମୂର୍ତ୍ତି ଗଢିଛନ୍ତି । ଶ୍ରୀମନ୍ଦିରରେ ପୁରୁଷୋତ୍ତମ ଆରାଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କଲେ ବିଷ୍ଣୁ ଲୋକ ଗମନର ଶୁଭଫଳ ମିଳିବା ନାରଦ ପୁରାଣରେ କୁହାଯାଇଛି-
"ପ୍ରତିମା ତତ୍ର ତାଂ ଦୃଷ୍ଟ ସ୍ୱୟଂ ଦେବେ ନିର୍ମିତାମ୍
ଅନାୟାସେନ ବୈଯାନ୍ତି ଭବନଂ ମେ ତତୋ ନରାଃ ।"
ପ୍ରତିବର୍ଷ ଆଷାଢ ମାସରେ ଜଗତର ନାଥ ଶ୍ରୀଜଗନ୍ନାଥ ଏକ, ସେ ନାମରେ ଅନେକ, ସେହିଁ କେବଳ ସାଧାରଣ ମଣିଷକୁ, ବିଶ୍ୱବାସୀଙ୍କୁ ରଥ ଉପରେ ଦର୍ଶନ ଦେଇ ମୁକ୍ତି ପ୍ରଦାନ କରିଥାନ୍ତି, ସେଥିପାଇଁ କୁହାଯାଇଛି-
"ରଥେ ତୁ ବାମନଂଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ।"
ଅଧ୍ୟାପକ ଡ଼କ୍ଟର ଲକ୍ଷ୍ମଣ ସାହୁ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
