ଜୀବନର କେଉଁ ଶାସ୍ତ୍ର ନ ପଢିଛ ହେ ଶାସ୍ତ୍ରୀଜୀ
ତୁମେ ତ ସ୍ୱୟଂ ଏକ ସମନ୍ୱିତ ଶାସ୍ତ୍ର
ଦୁଃଖର ଦରିଆଠାରୁ ସୁଖର ପାହାଡ ପର୍ଯ୍ୟନ୍ତ ॥
ବିଚରା ବାପଛେଉଣ୍ଡ ହୋଇ
ଆମ୍ବଟିଏ ସିନା ଚୋରି କଲ
ମାଳୀର ଭତ୍ସନାରେ ମର୍ମାହତ କଲ ବିଧବା ମା'କୁ
ପଢିଲ ମାତୃ ଯାତନାର ଫର୍ଦ୍ଦ
ପୋଛିଲ ଲୁହ..କଲ ବଜ୍ର ଶପଥ
ଦେଖିନାହଁ ସେଇଦିନୁ ଅମାନ୍ଧକାର
ଜାଳିଲ ଦୀପ୍ତି ମଶାଲ
ଏମିତିକି ଦେଶପାଇଁ ଜାତିପାଇଁ ମୃତ୍ୟୁ ପର୍ଯ୍ୟନ୍ତ॥
ଅଭାବକୁ ଚିହ୍ନିଥିଲ ପାଖରୁ
ପାଖେ ସିନା ନ ଥିଲା ଡଙ୍ଗାଭଡା
ପହଁରି ପହଁରି ପାରିହେଲ ଗଙ୍ଗାନଦୀ
ସାଜିଲ ନିର୍ଭୀକ ସ୍ୱାଭିମାନୀ
ସତ୍ୟାଗ୍ରହେ ହେଲ ବ୍ରତୀ
ସାଜି ଗାନ୍ଧୀଙ୍କ ଅଗ୍ରଦୂତ
ବନ୍ଦୀହେଲ ସିନା ହେ ଭାରତରତ୍ନ
ସ୍ମରୁଛି ତୁମ ଦେଶପ୍ରେମକୁ ହିନ୍ଦୁସ୍ଥାନୀ ଏ ପର୍ଯ୍ୟନ୍ତ॥
ମା'ର ବିଜୟବାନା ଭୋକିଲା ପେଟକୁ ଦାନାପାଇଁ
ଦେଲ ସୌର୍ଯ୍ୟ ସ୍ଳୋଗାନ୍
ଜୟ ଯବାନ୍  ଜୟ କିଶାନ୍
ନିଷ୍ଠା ସାଧୁତାର ପୂଜା ପାଇଲ
ଯନ୍ତ୍ରୀନୁହଁ ତୁମେ ତନ୍ତ୍ରୀ ଥରାଇଲ
ହେ ନିଷ୍କଳଙ୍କ ପ୍ରଧାନମନ୍ତ୍ରୀ
ଦେଲ କଡା ଜବାବ ଥରିଲା ପାକିସ୍ଥାନ
ନ ଦେଇ ଗୁରୁତ୍ୱ ନିଜକୁ
ସଭିଙ୍କୁ କଲ ଆବାହନ ହେ ଅମର ପ୍ରତିଭା
ତବ ମହାନ ଆଦର୍ଶରେ ମଥାନତ କରେ ଏ ଜାତି
ଝୁରୁଛି ଝୁରିବ ଏ ସୃଷ୍ଟି ଥିବା ପର୍ଯ୍ୟନ୍ତ॥

ନାରାୟଣ ସେନାପତି, କେନ୍ଦୁଝର