
ଫୁଲ ଫୁଟିଥିବ କଣ୍ଟା ହସୁଥିବ
ଲୁଚକାଳି ଖେଳି ସାଥି ଆସୁଥିବ।
ବାଟେ ବାଟେ ସେଠି କଣ୍ଟା ହଜିଯିବ
ପାଛୋଟି ନେବାକୁ ବଗିଚା ନଥିବ।
ସେହି ବଗିଚାର ମାଳିଟିଏ ହେବି
ସାଥୀ ଆସିବାରୁ ଫୁଲଟିଏ ଦେବି।
ଦିନେ ଶୋଇଯିବି ଗହନ ନିଦରେ
କାନ୍ଦୁଥିବ ସାଥୀ ସେହି ବଗିଚାରେ।
ଫୁଲହାରଟିଏ ଗୁନ୍ଥିବ ଶ୍ରଦ୍ଧାରେ
ପ୍ରତିଦାନେ ଦେବ କୋକେଇ ଉପରେ।
ଫୁଲ ବିନା କଣ ଶେଷ ଯାତ୍ରା ନାହିଁ
ଦରାଣ୍ଡି ହୁଅନ୍ତି ଫୁଲଟିଏ ପାଇଁ।
ଧନ୍ୟ ସେହି ଫୁଲ ଧନ୍ୟ ତୁମ ରୂପ
ପ୍ରେମି ଯୁଗଳରେ କରୁଛ ଆଳାପ।
ତୁମେ ପରା ଅଟ ସବୁରି ଆଦର
ଗର୍ବ କରେ ପୁଣି ବିଶ୍ବ ଦରବାର।
ତୁମର ପରଶ ଶ୍ରେଷ୍ଠ ଜଗତରେ
ଶ୍ରୀଜଗନ୍ନାଥ ଙ୍କୁ କୋଟି ନମସ୍କାରେ।
ମାନସ ରଞ୍ଜନ ପଟ୍ଟନାୟକ
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ