
ଆମ ଦେଶ ଉଚ୍ଚତମ ନ୍ୟାୟାଳୟ
କି କହିବି ଧନ୍ୟ ଧନ୍ୟ
ମୋ ଭାରତବର୍ଷ ମହାନ ସ୍ଥାନରେ
ଆଇନ୍ ରଚିଲା ଘୃଣ୍ୟ॥
ସୀତା ସାବିତ୍ରୀ ଓ ସତୀ ଅନସୂୟା
ଆମ ପୂଜ୍ୟ ପୂଜାଥାଳି
ସ୍ୱୟଂ ଭଗବାନ ମୁଣ୍ଡ ନୁଆଁଅନ୍ତି
ନେଇ ତାଙ୍କ ପାଦଧୁଳି॥
ଏକ ପତିବ୍ରତେ ସ୍ୱାମୀଙ୍କୁ ପୂଜନ୍ତି
ଭାବି ପତି ମୋ ଈଶ୍ୱର
ପରପୁରୁଷଙ୍କୁ ସମ୍ମାନ ଦିଅନ୍ତି
ତେଜି ପାପର ଆଚାର॥
ମହାନତା ଆଉ ପବିତ୍ରତା ପାଇଁ
ନାରୀ ଜାତି ଶୁଣେ ମାଆ
ଦୁଇ କୁଳ ହିତି ସରଗେ ବିରାଜି
ପୁଣ୍ୟ ଅର୍ଜି ବାଣ୍ଟେ ଦୟା॥
କୂଳବଧୁ ସିଏ ପିଣ୍ଡଦାନ କରେ
ଜାଳେ ନିତି ସଞ୍ଜବତୀ
ସ୍ୱାଧୀନ ହେଉସେ ସ୍ୱେଚ୍ଛାଚାରୀ ନୁହଁ
ଆଶାର ଅମରାବତୀ ॥
ପରକୀୟା ପ୍ରୀତି ପ୍ରତାରଣା ଭରା
ଆତ୍ମୀୟତା ବିନା ଶୂନ୍ୟ
ହୃଦୟ ନ କାନ୍ଦେ ଆତ୍ମା ବି ନ ଛନ୍ଦେ
ଅଶାନ୍ତି ବିଷାଦେ ପୂର୍ଣ୍ଣ॥
ଆଶା ଭରସା ଓ ବିଶ୍ୱାସର ସ୍ରୋତ
ଯେବେ ହୋଇଯିବ ବନ୍ଦ
ସନ୍ଦେହ ନିରାଶା ଅବିଶ୍ୱାସେ ବନ୍ଦୀ
ପ୍ରେମକୁ କରିବ ଅନ୍ଧ ॥
ପରକୀୟା ପ୍ରୀତି ଆତ୍ମଘାତୀ ବାଣ
କ୍ଷତ କରେ ହୃତପିଣ୍ଡ
ଦୁଇ ମନ ମଧ୍ୟେ ପାଚେରୀ ବନାଏ
ଆତ୍ମା ହୁଏ ଖଣ୍ଡଖଣ୍ଡ॥
ପୁଣ୍ୟଭୂମି ଏ ମୋ ଭାରତବର୍ଷ ଯେ
ନୁହଁ ପାପିଳ ବିଦେଶୀ
ଧର୍ମ ସଂସ୍କୃତିର ତୀର୍ଥକ୍ଷେତ୍ର ଇଏ
(ଯାର)ପାପ ଶୋଷେ ବାରଣାସୀ॥
ଭାରତମାତାର ଦାୟାଦ ତେଜ ଏ
କୁଆଇନ୍ କୁସଂସ୍କାର
ପରକୀୟା ପ୍ରୀତି ତେଜି ଦିଅ ମନୁ
ବେଦ ଗୀତା ଆଶ୍ରା କର॥
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର
