ସୃଷ୍ଟି ସଂରଚନା କରିଅଛ ପ୍ରଭୁ
   ଅମୂଲ୍ୟ ସମ୍ପଦ ଦେଇ,
ମାନବ ସମ୍ପଦ ଶ୍ରେଷ୍ଠ ସମ୍ପଦ ଯେ
    ବୁଝୁ ନାହିଁ ଆଜି କେହି  ।

ସବୁ ସମ୍ପଦକୁ ଚାଳନା ପାଇଁକି
   ମଣିଷକୁ ଛାଡିଦେଲୁ,
ଶ୍ରେଷ୍ଠ ଜୀବବୋଲି ଆଖ୍ୟା ଦେଇଦେଇ
    ଆଢୁଆଳେ ରହିଗଲୁ  ।

ସବୁ ସମ୍ପତ୍ତିର ଅପଚୟ ଆଜି
    ମଣିଷଯେ କରୁଅଛି,
ହେଉଅବା ଜଳ ହେଉ ସେ ଖଣିଜ
   ଇଙ୍ଗିତ ସେ ମଣୁଅଛି   ।

ଅରଣ୍ୟ ସମ୍ପଦ ଲୋଟି ନେଉଛନ୍ତି
   କର୍ତ୍ତା ଯିଏ ଦେଖୁଅଛି,
 ହାତଗୁଞ୍ଜାଦେଇ କାଠସବୁପରା
   ନିଜ ସ୍ୱାର୍ଥେ ଲଗାଉଛି   ।


ବୁଝୁନି ମଣିଷ ଡାକୁଛି ବିପଦ
   ଭୋଗୁଅଛି କର୍ମଫଳ,
ପୁକ ମାଛିପରି ମରୁଛିମଣିଷ
    କର୍ମ ତା କରୁଛି କାଳ ।

ଦୈବୀ ଦୁର୍ବୀପାକ ନାମଦେଉଅଛି
    ଏହା ଯେ ସମ୍ପୂର୍ଣ୍ଣ ମିଥ୍ୟା,
ନିଜ ସ୍ୱାର୍ଥପାଇଁ ବିପଦକୁ ଡାକି
   ନିଜକୁ କରେ ସେ ହତ୍ୟା  ।

ଅସରନ୍ତି ସମ୍ପଦ ଭାବୁଅଛି ସେ
   ଜୀବନରେ ସରିବନି,
ବସି ଖାଇଲେଯେ ନଈବାଲି ସରେ
   ଏ କଥା ମନେ ରଖୁନି   ।

ସବୁ ସମ୍ପତ୍ତିର ଅପଚୟ ଆଜି
    ମାନବଯେ କରୁଅଛି,
ନିଜକର୍ମ ଫଳ ଭୋଗୁଅଛି ବୋଲି
   ମନେ  ତାର ନ ପଡୁଛି   ।

ସବୁ ବିପତ୍ତିକୁ ଆମନ୍ତ୍ରଣ ପରା
   ମଣିଷଯେ କରୁଅଛି,
ବିଧାତା ଘଟିଲା କାହିଁକି ଏମିତି
   ବିଭୁଙ୍କୁ ପ୍ରଶ୍ନ କରୁଛି  ।


ଜଙ୍ଗଲକୁ କାଟି ଅଟ୍ଟାଳୀକାମାନ
   ଆକାଶକୁ ଛୁଉଁଛନ୍ତି,
ବାତ୍ୟା ମହାବାତ୍ୟା କାହିଁକି ଆସୁଛି
   ନିଜେ ବୁଝି ନପାରନ୍ତି   ।

ଜଳହିଁ ଜୀବନ ଜାଣିମଧ୍ୟ ଆଜି
  ଅପଚୟ ହେଉଅଛି,
 ସଂରକ୍ଷଣ କଥା ପାଶୋରିଣ ଦେଇ
     ତା କାମ କରିଯାଉଛି  ।

କଳକାରଖାନା ଗଢିଉଠୁଅଛି
   ପ୍ରଦୁଷଣ ବଢୁଅଛି,
ମହାବାତ୍ୟା,ହୁଡୁହୁଡି, ଫାଇଲିନି
    ତିତିଲିବି  ଆସୁଅଛି   ।

 ଏ ସବୁ ପାଇଁକି ଦାୟୀଯେ ମାନବ
   ଆଖିଥାଇ ଅନ୍ଧ ଆଜି,
ପରୋକ୍ଷରେ ନିଜ କ୍ଷତି କରୁଅଛି
    ବୁଦ୍ଧି ତା ଦେଉଛି ହଜି  ।

ମଣିଷ ଜୀବନ ଆତଙ୍କିତ ଆଜି
   ଡରିଡରି ଜିଉଛନ୍ତି,
ମାନବ ସମ୍ପଦ ଶ୍ରେଷ୍ଠ ସମ୍ପଦଯେ
   ସବୁ ଜାଣି ପାରୁଅଛି   ।

ହୁଅରେ ସଜାଗ ଆଜିର ମାନବ
    ତୋ ପାଖେ ସବୁ ସମ୍ଭବ,
ସବୁ ସମ୍ପଦକୁ ସୁରକ୍ଷାତୁ କର
   ବଦଳା ନିଜ ସ୍ୱଭାବ  ।

ନିଜପାଇଁ ନିଜେ ଦାୟୀ ତୁ ହୋଇବୁ
   ବିପଦ ଦ୍ୱାରସ୍ଥ ହେବ,
ବେଳୁହିଁ ଗୋବିନ୍ଦ ସୁମରି ପାରିଲେ
    ବିପଦ ତୋ ଘୁଞ୍ଚିଯିବ   ।

ସରୀତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆପାଳ, ବାଲେଶ୍ୱର