
ବିନ୍ଦୁଟିଏ
ନିବେଦନ କରେ ସିନ୍ଧୁ ନିକଟେ
କାହିଁ କେତେ କ'ଣ ଆଶ୍ରା ଦେଇଛୁ
ତୋ ବିଶାଳ ଛାତିରେ
ମୋତେ ବି ମିଶାଇ ଦେଏ ।
ବିନ୍ଦୁଟିଏ । ୧
ସିନ୍ଧୁ କହେ
ଆ ମିଶିଯାଆ ପୂରା ତୋ କାମନା
ହୁଅନା ହୁଅନା ଜମା ଆନମନା
ମନା କରିବାକୁ ମୁଁ ବା କିଏ
ସିନ୍ଧୁ କହେ । ୨
ବିନ୍ଦୁ କହେ
ଦେଖୁଛି ତୁମର ଅସ୍ଥିର ପଣ
ଲହରୀ ଆଘାତେ ଦୂରେଇ ଦେବନି
ସେଇ ଭୟରେ ମୋ ମରମ ଦହେ
ବିନ୍ଦୁ କହେ ।
ସିନ୍ଧୁ ହସେ
ଚଞ୍ଚଳ ଦେହ ନିଶ୍ଚଳ ମନ
ଲହରୀରେ କେବେ ଦୂରେଇ ଦେଲେ ବି
ଆଣିବି ପୁଣି ମୋ ବକ୍ଷ ଦେଶେ
ସିନ୍ଧୁ ହସେ ।
କର୍ମ ମୋର
ଜୀବନର ବ୍ରତ, ହେଳା ନାହିଁ ତିଳେ
କର୍ମ ସଙ୍ଗୀତ ନିରତେ ଗାଏ ମୁଁ
ଆଶା ନାହିଁ ମନେ ବିଶ୍ରାମର
କର୍ମ ମୋର ।
ଆଶ୍ରା ଦେବି
କର୍ମକୁ ମୋର ଧର୍ମ କରିବୁ
କର୍ମ ଉପ୍ରୋଧେ ଠେଲିଲେ ବି ଦୂରେ
ପୁଣି ମୁଁ କୋଳେଇ ନେବି
ଆଶ୍ରା ଦେବି ।
ରମେଶ ଚନ୍ଦ୍ର ମିଶ୍ର
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ
