
ସୈ।ଭାଗ୍ୟ ଶୁଭ ଲଗନ ଆଶ୍ଵିନ ସକାଳ
କିରଣ ବିଛାଇ ରାତି ଅନ୍ଧାର ଦୂରେଇ ।
ପ୍ରାତିଚୀ ନଭେ ଉଦିତ ଅରୁଣ ଉଜ୍ବଳ
ନାନାବିଧ କୁସୁମେ ଯେ ଧରାକୁ ସଜାଇ ।।
ପ୍ରବେଶିଅଛି ପାର୍ବଣ ପବିତ୍ର ଲଗନ
ବଜାଇ ବିବିଧ ସ୍ବରେ ଭେରୀ,ତୂରୀ,ବୀଣା ।
କର ସର୍ବେ ମିଳିମିଶି ଦେବୀ ଆବାହନ
ଅମଳ କମଳ ପଦ କରବା ବନ୍ଦନା ।।
ନିନାଦିତ ମନ୍ଦ୍ର ନାଦେ ମୃଦଙ୍ଗ, ମର୍ଦ୍ଦଳ
ସୁରପୁର ବୀରାଙ୍ଗନା ଦେବୀ ମହାଦେବୀ ।
ସୁଦିର୍ଘ ନିସ୍ବନେ ବାଜୁ ଶୁଭ ଶଂଖ ସ୍ବର
ପରଶରେ ଉତ୍ଫୁଲ୍ଲିତ ହୋଇ ଉଠୁ ଉର୍ବୀ ।।
ଅମୂଲ୍ୟ ନିଧି କି ଅବା ଲଭିଛି ଦରିଦ୍ର
ସେହିମତେ ବସୁମତୀ ଆନନ୍ଦେ ଅଧୀର ।
ରଙ୍କ କିବା ଲଭିଅଛି ଅମୂଲ୍ୟ ସମ୍ପଦ
ବିଜୟ କରନ୍ତି ଦେବୀ ଛାଡ଼ି ସୁରପୁର ।।
ବିଜୟା ବିଜୟ ଆଜି ପ୍ରକୃତି ବିଭୋର
ଅରୁଚ ଅଭିନୟ ତୁ ନକର ରେ ନର ।
ଯେତେ ପାପ ଅପକର୍ମ ମହୀଷା ଅସୁର
ସମ ନିଜ ଅଭିନୟେ ନକର ନକର ।।
ପବିତ୍ରତା ଭାବ ମନେ ହୃଦୟେ ବହନ
କରି,ଆସ ମାତୃଶକ୍ତି କରିବା ବହନ ।
କାଶପୁଷ୍ପ ପ୍ରାୟ ଶୁଭ୍ର ଧବଳ ବରଣ
ହୃଦୟ ନିର୍ମଳ ହେଉ ଗଙ୍ଗାଜଳ ସମ ।।
ଆସ ଦେବୀ ହୈମବତୀ ତୋ ବରଦ ହସ୍ତ
ସ୍ବାଗତ ବନ୍ଦନା ଗାଅ ମାନବ ସକଳ ।
ପ୍ରସାରି ସବୁରି ମନ କର ଗୋ ପବିତ୍ର
ପ୍ରଫୁଲ୍ଲିତ କର ଧରା ଦୁଃଖକରି ଦୂର ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
