ସତରେ ସୁରଭି...
ତୁମେ ତ ବଣ ମଲ୍ଲୀର ବାସନା
ସରଗର ପାରିଜାତର ମହକ
ଆମ୍ବ ବଉଳର ଲାଜୁଆ ଗନ୍ଧ ତ ଭିଜା ମାଟିର ଅପୂର୍ବ ବାସ୍ନା
ମତୁଆଲା ଅତରର ମନ୍ଦ ମନ୍ଦ ଅନୁଭବ
ଆଉ ମନ ମତାଣିଆ ସୌଖୀନ ଦ୍ରବ୍ୟର ସଜଭିଜା ସୁଗନ୍ଧ
ଛୁଟିଆସ ଯେବେ ଶିହରାଇ ତନୁ ମନ
ଆଘ୍ରାଣେ ଆତ୍ମ ତୃପ୍ତି ଖେଳିଯାଏ
ହୃଦୟ ପାଏ ଅପରୁପ ଆତ୍ମସନ୍ତୋଷ॥
ତୁମେ ଅନାଥର ରତ୍ନ
ଅସହାୟ, ଦିବ୍ୟାଙ୍ଗର ଅନ୍ତଃସ୍ୱର
ଗାଉଁଲୀ ବିଚରାର ସାହାରା...ଶକ୍ତ ପରିଚୟ
ସହରୀ ସମ୍ଭ୍ରାନ୍ତର ଅମ୍ଳାନ ପ୍ରତିଭା
ତୁମେ ସଭିଙ୍କ ଅନ୍ତର୍ନିହିତ ସ୍ୱଭାବର ସୌରଭ
ତୁମେ ସ୍ୱପ୍ନକୁ କର ଜାଗ୍ରତ
ମୃଦ୍ୟୁ ହସ ସୁଢଳ ନୟନେ ମୃଦ୍ୟୁ ଗୁଞ୍ଜରଣେ
ଛୁଟି ଆସ ଦେବାକୁ ପ୍ରଶଂସାର ବାର୍ତ୍ତା
ଆଉ ପ୍ରୋତ୍ସାହନର ଅସଲ ପ୍ରମାଣପତ୍ର॥
ତୁମେ ସଭିଙ୍କ ଉତ୍ସାହର ଉତ୍ ପ୍ରେରକ
ପ୍ରତିଟି ଆକାଂକ୍ଷାର ହୃତ୍ ସ୍ପନ୍ଦନ
ତୁମେ ଆତ୍ମପ୍ରତ୍ଯୟର କୀର୍ତ୍ତିସ୍ତମ୍ଭ
ଆଉ ଆତ୍ମପ୍ରତିଷ୍ଠାର ସଞ୍ଜିବନୀ
ଭାବ ପରିପ୍ରକାଶର ସ୍ୱତଃସ୍ଫୂର୍ତ୍ତ ସ୍ଫୁରଣ
ଅଦ୍ଭୂତ ତୁମ ଆକର୍ଷଣ
ଅନାୟସେ ଡାକିଆଣ ହାତଧରି
କର ସକ୍ରିୟ.... ଦିଅ ଶ୍ରେୟ ଆହ୍ୱାନର ସ୍ଫୁଲିଙ୍ଗରେ
ବିଦାୟ ନିଅ ଝରାଇ ସଭିଙ୍କ ଆନନ୍ଦଶ୍ରୁ
ଚମକାଇ ସ୍ମୃତି ଆଙ୍କ ସଭିଙ୍କ ଶିରାଧମନୀରେ
ରଚ ଏକ ଅଲିଭା, ଅଭୁଲା ମୂହୁର୍ତ୍ତ॥

ନାରାୟଣ ଚନ୍ଦ୍ର ସେନାପତି,
ସରକାରୀ ଉ.  ପ୍ରା. ବିଦ୍ୟାଳୟ, ଡିମିରିଆ,
ତେଲକୋଇ, କେନ୍ଦୁଝର, ପିନ୍ - ୭୫୮୦୧୯