ଜହ୍ନିଫୁଲ ର ସ୍ମିତହାସ ଧାରେ
    ଶରତ ଆସିଛି ଫେରି
ମୃଦୁ ସମୀରଣ ଓହ୍ଲାଇ ଆସୁଛି
               ଚନ୍ଦନ ପଡୁଛି ଝରି     ।।

ଶରତ ଆକାଶେ ଶାରଦୀୟ ଶୋଭା
    କାଶତଣ୍ଡି ଧୀରେ ହସେ
ପାର୍ବଣର ଋତୁ ଲହଡି ଭାଙ୍ଗୁଛି
                ଦିନ ମହ ମହ ବାସେ  ।।

ସବୁଜ କେଦାର ଶୋଭାର ଭଣ୍ଡାର
   ସୁନେଲି କିରଣେ ଖେଳେ
ସଂଜ ନଇଁ ଗଲେ ତମିସ୍ରା ବଳୟେ
                ଲୁଚେ ବିଭାବରୀ କୋଳେ ।।

ବରଷାର ସ୍ବର ଚପଳା ଚମକ
     ଯାଏ ଅପସରି ଦୂରେ
ରଜତ ଜୋଛନା ଜହ୍ନ ଢାଳିଦିଏ
                ଧରଣୀ ର ବୁକୁ ପରେ    ।।

ନୀଳ ଉର୍ମିମଳା ଗାଉଛି ସଂଗୀତ
    ସାଗରର ବୁକୁ ଛୁଇଁ
ବେଳାଭୂଇଁ ନାଚେ ସେ ସଂଗୀତ ସୁରେ
                    ନାଚେ  ଶସାଗରା  ଭୂଇଁ  ।।

ଧରଣୀ ରାଣୀ ର ପଣତ କାନିରେ
     ଆଶିଷ ପୀୟୂଷ ଧାରା
ଆକାଶ ପଥରୁ ପୁଷ୍ପ ବୃଷ୍ଟି ହୁଏ
                   ଚଉଦିଗ  ବାସ  ଭରା  ।।

ଶୁଭ ଶଙ୍ଖନାଦ ଶୁଭେ ଶୁଭ କ୍ଷଣେ
     ଘଣ୍ଟ ଘଣ୍ଟା ତୁରୀ ଭେରୀ
ମା' ଆସିଛନ୍ତି ମରତ ମଣ୍ଡଳେ
                  ଖଣ୍ଡା ଖର୍ପରକୁ ଧରି ।।

ମେଦିନି କମ୍ପୁଛି ସରଗ ହସୁଛି
     ଜୟ ମାତା ଦଶଭୂଜା
ଦୁର୍ଗତି ନାଶିନୀ ମହିଷମର୍ଦ୍ଦିନୀ
                  ସଗର୍ବେ ପାଆନ୍ତି ପୂଜା  ।।

ସୁଉଚ୍ଚ ତୋରଣ ଆଲୋକ ବର୍ଣ୍ଣାଳୀ
        ବିରାଜିତା ମହାମୟୀ
ମନ୍ତ୍ର ର ମହକେ ଆଳତି ସୁଗନ୍ଧେ
                  ଝଟକନ୍ତି ଯୋଗମାୟୀ  ।।

ଶରତ ଆସିଛି ସୌଭାଗ୍ଯ ଉଇଁଛି
     ଦେବୀ ମା' ଆବିର୍ଭୂତା
ଧର୍ମସଂସ୍ଥାପନୀ ପବିତ୍ରକାରିଣୀ
                  ହିରଣ୍ମୟୀ ଜଗଜ୍ଜିତା ।।

ଅଧ୍ୟାପକ ଶରତ କୁମାର ଦାସ 
ରାଜନୀତି ବିଜ୍ଞାନ ବିଭାଗ,
ବଡବିଲ ମହାବିଦ୍ୟାଳୟ, ବଡବିଲ,  ଜିଲ୍ଲା-କେନ୍ଦୁଝର