
ମନେ ପଡେ ଆଜି ଚିଲିକା କୂଳର
କିଶୋର ବେଳର ମଜା
ଲୁଣି ପାଣିଧାରେ ନଡ଼ିଆ ଡଙ୍ଗାକୁ
ଭସାଇକି କହୁ ରଜା ।୧।
ଦିକ୍ଷିଣା ପବନେ ଭାସିଯାଏ ଯେବେ
ଆମରି ସେ ଟିକି ନାଆ
ବୁଡି ବୁଡି ଯାଇ ଧରି ଆସୁଥିଲୁ
ଖୁସି ଥିଲା ତାର ନୂଆ ।୨।
ମାଛ ବୁଡା ଖେଳ ଗୁଡି ଉଡା ବେଳ
ଆଉ କି ଆସିବ ଫେରି
ପୋଖରୀ କୂଳରେ ବସ୍ତାନି ଫିଙ୍ଗିକି
ପହଁରିଛୁ ଘିରି ଘିରି ।୩।
ଆମ୍ବୁଲ ତେନ୍ତୁଳି ହାତେ ଚାଟି ଚାଟି
ମେଳ ମେଳ ହୋଇ ଯାଉ
ସାଥିଙ୍କର ମେଳେ କେତେ ଯେ କାହାଣୀ
କହି କି ବି ଶୁଣୁଥାଉ ।୪।
ବର ଓହଳରେ ଖେଳୁଥାଉ ଦୋଳି
ସ୍କୁଲରୁ ଫେରିଲା ବେଳେ
ବଡ ଗୁରୁଜୀଙ୍କୁ ଦେଖିକରି ଆମେ
ଲୁଚି ଯାଉ ହୁଡା ତଳେ ।୫।
ଶାଳିଆ ନଈରୁ ମାଛଧରି ଆମେ
କରିଥାଉ କେବେ ଭୋଜି
ଗାଆଁ ଦୋଳଯାତେ ଘଣ୍ଟ ବାଡେଇକି
ବନ୍ଧୁ ପଣେ ଯାଉ ହଜି ।୬।
ପାଲାମଣ୍ଡପରେ ଆଗରେ ବସିକି
ପାଳିଆକୁ ଚାହିଁ ଥାଉ
ପାଲା ଦେଖିକରି ଥଟ୍ଟା କଥା ଶୁଣି
ଖୁସିରେ ଆନନ୍ଦ ହେଉ ।୭।
ପୁନିଅଁ ପରବ ଦିନଟି ଆସିଲେ
ମନେ ମନେ ହେଉ ଖୁସି
ବୁଢୀ ଅସୁରୁଣୀ ଜହ୍ନ ମାମୁଁ ଗପ
ଶୁଣି ଦେଉଥିଲୁ ହସି ।୮।
ଚକା ଗୋଟେ ଧରି ବାଡେଇ ବାଡେଇ
ବୁଲୁଥିଲୁ ଗାଆଁ ସାରା
ଫୁଙ୍ଗୁଳା ଦେହରେ ନଥିଲା ଯେ ଜାମା
ଜୀବନ ଥିଲା ନିଆରା ।୯।
ଦୁଃଖ ସୁଖ କିଛି ଜଣାତ ନଥିଲା
ଥିଲୁ ଆମେ ଟିକି ପାରା
ନିମିଷକେ ଥରେ ଧରା ନପଡଉ
ଏହିତ ତ ସୁଖ ପସରା ।୧୦।
ଫେରି ଆସିବୁକି ହଜିଲା ଅତୀତ
ତୋ ସାଥେ ଖେଳିବି ମୁହିଁ
ନାହିଁରେ ଅତୀତ ଛୁଇଁବାକୁ ତତେ
ମୋ ପିଲା ଦିନଟି କାହିଁ ।୧୧।
ତୋ ପାଖରେ ମୋର ସ୍ମୃତି ହଜିଅଛି
ଖୋଜୁଛି ଶେଷ ସୋପାନେ
ପରକରି ଦେଇ ଚାଲିଗଲୁ ଦୂରେ
ନିତି ପଡୁଅଛୁ ମନେ ।୧୨।
ତୁ ଥିଲୁ ଛାଇ ମୁଁ ଥିଲି ଖରା
ପାଖେ ପାଖେ ଥିଲେ ରହି
ଆଜି କିନ୍ତୁ ମୁଁହିଁ ସାଥି ହରା ସାଥି
କାଳ ବହିଯାଏ କହି ।୧୩।
ଧ୍ରୁବ ଚରଣ ବେହେରା
