ଜଗତଜନନୀ ଦୁର୍ଗା ଦୁର୍ଗତିନାଶିନୀ
ବିଜେ ହେବେ ଧରାପୃଷ୍ଠେ ଦେବୀ କାତ୍ୟାୟନୀ ।
ମା ବସୁଧା ଉତ୍କଣ୍ଠିତା କରିବ ସ୍ୱ।ଗତ
ନାନା ସଜବାଜେ ତେଣୁ ହେଉଛି ପ୍ରସ୍ତୁତ ।
ସଜାଡ଼ି ରଖୁଛି ନାନା ଫଳପୁଷ୍ପମାନ
ଭକ୍ତି ଭରେ ଦେବୀଙ୍କୁ ସେ କରିବ ଅର୍ପଣ ।
ପ୍ରଭାତେ ସେ ଦୁର୍ବାଦଳେ ଶିଶିର ମୁକ୍ତାକୁ
ଭେଟି ଦେବ ବସୁମତୀ ହରଷେ ଦେବୀଙ୍କୁ ।
ଶୁଭ୍ର କାଶତଣ୍ଡୀ ବିଲ ପଠାମାଳ ଶୋଭା
ଧରିତ୍ରୀ କି ଶୁଦ୍ଧ ଶୁଭ୍ର ବସ୍ତ୍ରେ ଅଛି ଉଭା ।
ନିର୍ମଳ ନଭ ମଣ୍ଡଳେ ଚନ୍ଦ୍ର ତାରାଗଣ
ରଜନୀ ରେ ମହୀ ଯେହ୍ନେ ଇନ୍ଦ୍ରର ଭୁବନ।
ଶରତପ୍ରଦୋଷେ ଚନ୍ଦ୍ରାଲୋକେ କୁମାରୀଏ
ଜହ୍ନିଓଷା ହୁଳହୁଳି କେତେ ମଜା ଥାଏ ।
ସବୁଜ କେଦାରେ ଭରା ଶସ୍ୟ ହିଲ୍ଲୋଳରେ
ଅପୂର୍ବ ପୁଲକ ଆଣେ କୃଷକ ମନରେ ।
ଶାନ୍ତ, ସ୍ନିଗ୍ଧ,ନୀଳାକାଶ ସ୍ୱଚ୍ଛ ଜଳଧାରା
ଶୁଦ୍ଧ ପରିବେଶେ ଦେବୀ ଅବତାରୀ ଧରା ।
ବାଜିଲାଣି ଢୋଲ ଝାଞ୍ଜ ମହୁରୀ ନିଶାଣ
ଶୁଭିଲାଣି ହୁଳହୁଳି ନାମ ସଂକୀର୍ତ୍ତନ ।
ଜଗତେ ଆସୁରୀଶକ୍ତି ବଢ଼େ ଦିନୁଁ ଦିନ
ଅତ୍ୟାଚାର, ଦୂରାଚାର, ଶୋଷଣ, ଅଜ୍ଞାନ ।
ଆସ ମାତା ଦେବୀ ଦୁର୍ଗା ଦୁରିତ ନାଶିନୀ
ନାଶ ଦୁଷ୍ଟ ଶକ୍ତି ଶାନ୍ତି ବିରାଜୁ ମେଦିନୀ ।
କରୁଛୁ ମିନତି ମାଗୋ ଘେନ ନିବେଦନ
ଜଗତକଲ୍ଯାଣ ହେଉ ଦିଅ ମାଁ ଶରଣ ।
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର--୯୪୩୭୬୬୪୫୩୭,
ପିନ୍ କୋଡ--୭୫୯୧୨୭