
ସଞ୍ଜ ଆକାଶର ସଞ୍ଜବତୀ ତୁମେ
ଅମା ଅନ୍ଧାରର ଜ୍ୟୋତି
ଲଢାକୁ ବାଳକ ଓଡିଶା ମାଟିର
ତୁମେ ଥିଲ ଆମ କ୍ଷ୍ୟାତି ।୧।
ଧନ୍ୟ ସେ ଜନନୀ ଅଭୟଦାୟିନୀ
ଦେଇଥିଲା ବଜ୍ର ଶକ୍ତି
ମାତୃଭୂମି ପ୍ରେମେ ବାନ୍ଧି ଥିଲା ତୁମେ
ଏହି ମହା ଦେଶ ଭକ୍ତି ।୨।
ନଥାଉ ପଛକେ ଧନ କି ସଂମ୍ପଦ
ଥିଲ ଗର୍ବ ଗଉରବ
କିଶୋର ବେଳରେ ଭେଟି ଦେଇଥିଲ
ସେ ସାହସ କିଏ ଦେବ ।୩।
ଉତ୍କଳ ମାଟିର ସୁଯୋଗ୍ଯ ସନ୍ତାନ
ଅମୂଲ୍ଯ ପସରା ହୀରା
ହିମାଳୟ ପଛେ ମଥା ପରେ ପଡୁ
ଜିଦ୍ ର ଥିଲ ଆସରା ।୪।
ବଇକୁଣ୍ଠପୁର ପବିତ୍ର ମାଟିରେ
ରଚିଗଲ ଇତିହାସ
ଗୋରାଙ୍କ କଥା କୁ କାଟି ଦେଇଥିଲ
ବଚନେ ଥିଲ ମହେଶ ।୫।
ଅଦମ୍ଯ ସାହସ ପ୍ରଖର ବୃଦ୍ଧିକୁ
ଦେଖି ଗୋରା ଆତଙ୍କିତ
ଭବିଷ୍ଯତ ତାଙ୍କ ଥିଲା ଅନ୍ଧକାର
ସେ ଲାଗି କରିଲେ ହତ ।୬।
ଜାଣି ପାରିଥିଲେ ଗୋରା ପୁଲିସ ଯେ
କାଳ କି ଆସିବ ମାଡ଼ି
ହରାଇ ନିଜର ବିବେକତା ଗୁଣ
ଗୁଳି କରି ଦେଲେ ତଡ଼ି ।୭।
ଲିଭି ଯାଇଥିଲା ବୀର ଦୀପ ଗୋଟି
ଭିରୁଙ୍କ ଗୁଳି ବର୍ଷାରେ
ବାଜି ପରି ଆଉ ଜନ୍ମିବ କେ ଆଉ
ସାହସ ମୂଖ୍ଯ ପୃଷ୍ଠାରେ ? ୮
ବୀରଭୂମି ପରେ ଟଳି ପଡିଥିଲେ
ବାଜିଙ୍କ ପରି ବାଳକ
ଢେଙ୍କାନାଳ ଜିଲ୍ଲା ଅମର ମାଟିରେ
ଥିଲେ ଦାମ୍ଭିକ ନାୟକ ।୯।
ଧୁ ଧୁ ବର୍ଷା ଘେରା ନିଶାକାଳେ
ବହିଲା ରକ୍ତର ନଦୀ
ସେ କରୁଣ ଦୃଶ୍ଯ ମନେ ପଡିଗଲେ
ଶିରା ଲୋମ ଉଠେ ଭେଦି ।୧୦।
ବାଲ୍ୟକାଳୁ ତୁମେ ପିତାଙ୍କୁ ହରାଇ
ଗଢିଲ ନିଜକୁ ନିଜେ
ତୁମ ବଳିଦାନ ଉତ୍କଳ ମାଟିରୁ
କୁମାରୀକା ଯାଏଁ ଖୋଜେ ।୧୧।
ତେର ବରଷର ସାହସି ବାଳକ
ଜାତି ପାଇଁ ଜନ୍ମିଥିଲ
ଯୁଗ ଯୁଗ ପାଇଁ ଅଦମ୍ଯ ସାହସ
କୀର୍ତ୍ତି ଧ୍ବଜା ଉଡାଇଲ ।୧୨।
ଆଜି ଭଳି ତୁମ ପୂଣ୍ଯ ତିଥି ପାଇ
କରୁଅଛୁ ନମସ୍କାର
ନୂତନ ପିଢ଼ିଙ୍କୁ ଦିଅ ତୁମ ଶିକ୍ଷା
ହେ ବାଜି ସଦା ଅମର ।୧୩।
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା
