ଅନନ୍ୟ ଅନୁଭୂତି - ଘନଶ୍ୟାମ ସାହୁ

0

ସେତେବେଳକୁ ମୋର ବୟସ ମାତ୍ର କୋଡିଏ ବର୍ଷ । ଘର ସମସ୍ୟା ନେଇ ବିଧାୟକଙ୍କୁ ଦେଖା କରିବା ପାଇଁ ଆସିଥିଲି ଭୁବନେଶ୍ବର । ଦେଖା ସରିଲା ପରେ ଏବଂ ଅଭିଯୋଗ ପତ୍ର ଗ୍ରହଣ କଲାପରେ ଜଗନ୍ନାଥ ଦର୍ଶନ ପାଇଁ ମନ ହେଲା । ଭୁବନେଶ୍ବର ବସ୍ ଷ୍ଟାଣ୍ଡରେ ଖୋଜି ଖୋଜି ରାଜ୍ୟ ସଡ଼କ ପରିବହନ  ନିଗମର  ନାଲିବସ୍ ର  ଲମ୍ବାସିଟର  ଏକ ପାର୍ଶ୍ବରେ ବସିଲି । ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବି  ସେଇ ଚିନ୍ତାରେ ଟିକେଟ  ଖଣ୍ଡେ  କାଟି ଝରକା ଫାଙ୍କରେ ବାହାର ଦୃଶ୍ୟ ଉପଭୋଗ କରୁଥିଲି ରାଜଧାନୀର ଉଚ୍ଚ ଅଟ୍ଟାଳିକା ଗୁଡିକ ଦେଖି ଗଙ୍ଗାଧର ମେହେର ଙ୍କର ରଚିତ "କୀଚକବଧ "କାବ୍ଯର ବିରାଟ ନଗର ବର୍ଣ୍ଣନା ମନେ ପଡ଼ି ଯାଉଥିଲା । "ଏଠି କିଏ ଅଛନ୍ତି ?" ହଠାତ୍ ଜଣେ ନାରୀ କଣ୍ଠରେ ଏ ପ୍ରଶ୍ନ ରେ ମୁଁ ପ୍ରକୃତିସ୍ଥ ହେଲି ଏବଂ ସଂକ୍ଷିପ୍ତରେ ନା' ବୋଲି  କହିବା ପରେ ସେ  ତାଙ୍କର ୫/୬ ବର୍ଷର ପୁଅ ଏବଂ  ୭/୮ବର୍ଷ  ବୟସର ଝିଅକୁ ନେଇ ଖାଲି ଥିବା ସିଟରେ  ବସିପଡ଼ିଲେ । ୩ଜଣଙ୍କ ପାଇଁ ସ୍ଥାନ ଥିଲେ ମଧ୍ୟ ବାଧ୍ୟ ହୋଇ ୪ଜଣ  ଆଡ଼ଜଷ୍ଟ ହୋଇ ବସିଲୁ । ମୋତେ କେଉଁଠାରେ ଓହ୍ଲାଇବେବୋଲି ପଚାରିଲେ । ମୁଁ ଜୀବନର ପ୍ରଥମ ଥର ପାଇଁ ପୁରୀ ଯିବା କଥା କହିଲି ।

କିଛି ସମୟର ନୀରବତା ପରେ ମୁଁ ଅନୁମାନ କଲି ମହିଳା ଜଣକ ମଝିରେ  ବସି ନିଜକୁ ଅଶ୍ୱସ୍ତିକର ମନେ କରୁଛନ୍ତି । ଅଗତ୍ୟା ମୋତେ ବାଧ୍ୟ ହୋଇ ମନ ନଥିଲେ ମଧ୍ୟ ଝରକା ପାଖ ସିଟ୍ କୁ ଛାଡି  ସିଟର ଅନ୍ୟ ପ୍ରାନ୍ତରେ ବସିବାକୁ ପଡ଼ିଲା । ବସ୍  ଆଗେଇ ଚାଲିଲା । କିଛି  ସମୟ ମଧ୍ୟରେ ପିଲାମାନେ ମୋ ସହିତ ମିଶିଗଲେ ଏବଂ ମୋତେ ମାମୁଁ  ବୋଲି ଡାକି ପାଠପଢ଼ା ସହିତ ନାନା ଗପରେ ମାତି ରହିଲେ । କେତେବେଳେ ବସ୍ ଆସି  ପୁରୀ ପହଞ୍ଚି ଗଲା ସମୟ ଜାଣି ପାରିଲି ନାହିଁ । ମୁଁ କେଉଁଆଡେ ଯିବି ଚିନ୍ତା କରୁ କରୁ ପିଲାମାନେ ହାତ ଧରି ମାମୁଁ  ଆସନା କହି ମୋତେ ଟାଣିଲେ । ଭଦ୍ରମହିଳା ମଧ୍ୟ ମୋତେ ତାଙ୍କସହିତ ଯିବାକୁଡାକିଲେ । ବାଧ୍ୟ ଶିଶୁଟିଏ ପରି ତାଙ୍କ  ଅନୁଗମନ କଲି । ଦୁଇ ତିନୋଟି ଗଳିରାସ୍ତା ଅତିକ୍ରମ କଲାପରେ ଆମେ ମହିଳାଙ୍କ ବାପାଙ୍କ ଘରେ ପହଂଚି ଗଲୁ । ମୁଁ ଭାରି ଅପ୍ରୀତିକର ପରିସ୍ଥିତିର  ସମ୍ମୁଖୀନ ହେଲି । ମହିଳା ଜଣକ ମୋର ପରିଚୟ କରାଇଦେଲେ । କିଛି  ସମୟ ମଧ୍ୟରେ ପରିବାରର ସମସ୍ତେ ମୋତେ ଆପଣେଇ ନେଲେ । ତାଙ୍କ ଘରେ  ମଧ୍ଯାହ୍ନ ଭୋଜନ  ପରେ ବିଶ୍ରାମ  ନେବାର ବନ୍ଦୋବସ୍ତ କରିଦେଲେ । ଧନ୍ୟ  ମହାପ୍ରଭୁ, ଧନ୍ୟ ତୁମର ମହିମା । ଆପେଆପେ ସେଇ ପରମ୍ ବ୍ରହ୍ମଙ୍କ ପ୍ରତି ଦୁଇ ହାତ ଊର୍ଦ୍ଧ୍ଵଗାମୀ ହୋଇଗଲା । କିଛି ସମୟ ବିଶ୍ରାମ ନେଲା ପରେ ତାଙ୍କ ସାନଭାଇ ବାଇକ୍ ଧରି ତାଙ୍କ ସହିତ ଯିବା ପାଇଁ କହିଲେ ।

ସେତେବେଳେ  ପୁରୀରେ  'ଉମା-ଟକିଜ୍ ରେ ପଡିଥାଏ "ସମୟ ବଡ଼ ବଳବାନ୍ " । ବାଇକ୍ ରଖି ମୋତେ ନେଇ ସିନେମା ହଲ୍ ଭିତରେ ବସି ଦେଖିବା ପାଇଁ କହିଲେ । ଯେମିତି ସେମାନେ ମୋ ନିଜ ଲୋକ । ସିନେମା ଦେଖି ସାରି  ଶ୍ରୀ ମନ୍ଦିର ଭିତରକୁ ଗଲୁ । ମୋତେ ଯେମିତି ପ୍ରଭୁ ଜଗନ୍ନାଥ ନିଜେତାଙ୍କ ପାଖକୁ ନେଲା ପରିଖୁବ୍ ନିକଟରେ ଠାକୁରମାନଙ୍କୁ ଦର୍ଶନକଲି । ମହାପ୍ରଭୁଙ୍କ ପ୍ରତି ଭାବବିହ୍ୱଳ ହୋଇ ଆଖିରୁ ଦୁଇ ଧାର ଲୁହ ଝରିଗଲା । ନିଜକୁ ତାଙ୍କ ଠାରେ ସମର୍ପଣ କରି ବୁଲି ପଡ଼ି ଦେଖିଲି  ଭାଇ ଜଣକ ମୋତେ  ଅପେକ୍ଷା  କରିଛନ୍ତି । ବାହରକୁ ଆସି  ଆନନ୍ଦବଜାରରୁ କିଛି ଶୁଖିଲା ଭୋଗ କିଣି ବସ୍ ଷ୍ଟାଣ୍ଡକୁ ଆସିଲି । ଭାଇ ଜଣକ ବସ୍ ରେ ବସାଇ ଦେଲେ । ପୁରୀ-ସମ୍ବଲପୁର ବସ୍ ର ଝରକା ପାଖରେ ବସି ଭାଇଙ୍କୁ ପ୍ରଣାମ କଲି । ଭାଇ ହାତ ହଲାଇ ମୋ ଠାରୁ ବିଦାୟ ନେଲେ ଏବଂ ଯିବା ପୂର୍ବରୁ କଣ୍ଡକ୍ଟରଙ୍କୁ ମୋ ଆଡ଼କୁ ଦେଖାଇ  କିଛି କହିଲେ । ଭାଇ ଜଣକ  ଦୃଷ୍ଟି ଅନ୍ତରାଳକୁ ଚାଲି ଗଲା ବେଳକୁ ମୋ  ଦୃଷ୍ଟି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଦୃଷ୍ଟି ନିବଦ୍ଧ ହେଲା । ହାତ ଦୁଇ ଆପେଆପେ ଉପରକୁ ଉଠି ଗଲା ଏବଂ ସ୍ୱତଃ ତୁଣ୍ଡରୁ ବାହାରି ଆସିଲା" ଜୟ ଜଗନ୍ନାଥ "ଧନ୍ୟ ତୁମ୍ଭର ମହିମା" । ଅନେକ ଥର ମୁଁ ତାପରେ ଆସିଛି ପୁରୀ । କିନ୍ତୁ କେବେ ବି ମୁଁ ଯେଉଁଠି ଆଶ୍ରୟ ନେଇଥିଲି ତାକୁ ଖୋଜି ପାଇନାହିଁ  କି ସେଇ ଭାଇ କିମ୍ବା  ତାଙ୍କର ଅନ୍ୟ  କାହା ସହିତ ମୋର ଦେଖା  ହୋଇ ପାରି ନାହିଁ ।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର - ୯୪୩୭୬୬୪୫୩୭,
ପିନ୍ କୋଡ - ୭୫୯୧୨୭

Post a Comment

0Comments
Post a Comment (0)