ପ୍ରିୟା :୧୬୪
ରାତି ଭିଜୁଥିଲା ଆକାଶ ଛାତିରେ
ଜହ୍ନ ହସୁଥିଲା ଚାହିଁ
ନିଶବ୍ଦ ପହର କଥା କହୁଥିଲା
ମନର ମାନସୀ ପାଇଁ ।।
ହଜିଲା ଅତୀତ ଆସନ୍ତା କି ଫେରି
କହନ୍ତା ପ୍ରୀତି କାହାଣୀ
ଅନେକ ଦିନର ଅଭୁଲା ସେ ପ୍ରେମ
ମୋ ପ୍ରିୟା ମନର ବାଣୀ ।।
ଯିଏ ଥିଲା ଦିନେ ସପନ ନାୟିକା
ଚାଲୁ ଥିଲା ସାଥି ହୋଇ
ଭାବ ପୀରତିର ଅତୁଟ ରଜ୍ଜୁରେ
ବାନ୍ଧିଥିଲା ମୋତେ ପାଇ ।।
ବିଛେଦ ବେଦନା ଭରି ଦେଇଗଲା
ସମୟର ଚଲାପଥେ
ଏକାନ୍ତ ବେଳାରେ ପାନ୍ଥଶାଳା ସାଜି
ଚାହିଁ ବସେ ମୁଁ ନିଶିଥେ ।।
ତୁମେ ପ୍ରିୟା ମୋର ହୃଦୟ ଚକୋରୀ
ରଜନୀର ଆଗମନେ
ଦୁଇଟି ଆତ୍ମାର ପବିତ୍ର ମିଳନ
ମନେ ପଡୁ ସବୁଦିନେ ।।
ଧ୍ରୁବ ଚରଣ ବେହେରା ।
