ଜଗା ଆସୁଛି ରେ ଜଗା ଆସୁଛି
ସଙ୍ଗେ ବଳଭଦ୍ର ଭଉଣୀ ସୁଭଦ୍ରା
ସୁଦର୍ଶନଙ୍କୁ ବି ଆଣିଛି
ଜଗା ଆସୁଛି ରେ ଜଗା ଆସୁଛି ॥ ୦॥
ସେନାପଟା ବେଶ ହୋଇଛି
ମଥାରେ ଟାହିଆ ନାଇଛି
ତାର ମତ୍ତଗଜ ଚାଲି ଆସେ ହଲି ହଲି
ଘଣ୍ଟୁଆଙ୍କ ଘଣ୍ଟ ବାଜୁଛି
ଜଗା ଆସୁଛି ରେ ଜଗା ଆସୁଛି ॥ ୧ ॥
ଆଲଟ ଚାମର ପଡୁଛି
ବୀର କାହାଳୀ ବି ବାଜୁଛି
ହରିବୋଲ ହୁଳହୁଳୀର ଧ୍ୱନୀରେ
ଶ୍ରୀକ୍ଷେତ୍ର ଉଠୁଛି ପଡୁଛି
ଜଗା ଆସୁଛି ରେ ଜଗା ଆସୁଛି ॥ ୨ ॥
ଦେବଦାସୀ ନୃତ୍ୟ ଚାଲିଛି
ବନାଟି ଚକର ଘୁରୁଛି
ବଡଦାଣ୍ତେ ଖାଲି ମାଳ ମାଳ ମୁଣ୍ତ
ଉଦଣ୍ତ କୀର୍ତ୍ତନ ଚାଲିଛି
ଜଗା ଆସୁଛି ରେ ଜଗା ଆସୁଛି ॥ ୩ ॥
ବାଇଶି ପାହାଚ ଗଲାଣି
ସିଂହଦ୍ୱାର ପାଖ ହେଲାଣି
ନନ୍ଦିଘୋଷ ତେଣେ ସଜବାଜ ହୋଇ
ଜଗାର ବାଟକୁ ଚାହିଁଛି
ଜଗା ଆସୁଛି ରେ ଜଗା ଆସୁଛି॥ ୪ ॥
ନନ୍ଦିଘୋଷେ ଜଗା ବସିବ
ତାର ଜିନିଷ ପତର ଆସିବ
ନବଦିନ ପାଇଁ ରଥରେ ଚଢି ସେ
ମାଉସୀ ଘରକୁ ଯାଉଛି
ଜଗା ଆସୁଛି ରେ ଜଗାଆସୁଛି ॥ ୫ ॥
ପ୍ରତି ବରଷ ତୁ ଆସୁଥା
ଭକତଙ୍କ ମନ ମୋହୁଥା
ଏହିପରି ଲୀଳା ଚାଲିଥାଉ ତୋର
ଏ ଦୀନ ଗୁହାରି କରୁଛି
ଜଗା ଆସୁଛି ରେ ଜଗା ଆସୁଛି ॥ ୬ ॥
ଜଗା ଆସୁଛି - ବାଉରିବନ୍ଧୁ ଲେଙ୍କା
August 06, 2018
0
