ସ୍ନେହମୟୀ ଜନନୀ - ପ୍ରଦ୍ୟୁମ୍ନ ରଞ୍ଜନ ସାହୁ

0
ଅଭୟଦାୟିନୀ,
ରଜନୀର ଅମା ଅନ୍ଧକାରେ ଅବା
ନିର୍ଜନତାର କ୍ରୁର ପ୍ରତିକୂଳରେ
ଜାଣେନା କାହିଁ,
ତୁ ଥିଲେ ପାଶେ ମୋତେ ଭୟ ନାହିଁରେ।।
ସ୍ନେହମୟୀ ତୁ,
କ୍ରୀଡ଼ାକସରତେ ବା ଚପଳାମିରେ
ଧୂଳିକା ଛିଟା ଯେବେ ଅଙ୍ଗେ ଲାଗେରେ
ଦେଖିଲେ କାହିଁ
ସ୍ନେହର ପଣତ ମୋ ଧୂଳି ଝାଡେରେ।।
ଶିକ୍ଷାଦାତ୍ରୀ ତୁ,
କୁନି ଅଧରେ ମୋ ଦରୋଟି ଭାଷାରେ
କହୁଥିଲି କେତେ ତୋ ଶିଖା କଥାରେ
ପଚାରେ କାହିଁ
ସେପରି ଆନ କେହି ଶିଖାନ୍ତେ ନାହିଁ?
ଅନ୍ତର୍ଯ୍ୟାମୀନୀ,
ହୃଦୟର କୋହ ଦୁଃଖର ତାଡନା
ଲୁଚାଇ କରେ ଯେବେ ଖୁସି ଛଳନା
ଲୁଚେନା କାହିଁ
ଧରିନିଏ ତୋ ଆଖି କରି ବାହାନା।।
ସର୍ବସଂହା ତୁ,
ଅଳି ଅର୍ଦ୍ଦଳି ସହୁ ପରିବାରର
ନିଘା ନାହିଁ ତୋ ଜ୍ଜ୍ବର ପୀଡ଼ାରେ
ଦେଖେନା କାହିଁ
ଖାଇଲୁ କି ନାହିଁ ଟିକେ ଶେଷରେ।।
ଭୋଜଦାତ୍ରୀ ତୁ,
ଅମୃତ ପରଶା ତୋ ହାତ ରାନ୍ଧଣା
କ୍ଷିରୀ ପୁରି ପିଷ୍ଟକ ଯେ ଅନାବନା
ନପୁଛେ କାହିଁ
ଲୁଚାଇ ରଖିଛୁ ସବୁ ମୋରି ପାଇଁ?
ଶକ୍ତିଦାୟିନୀ,
ତୋ ବକ୍ଷୋଜ ଦୁଗ୍ଧ ମୋ ରକ୍ତକଣିକା
ତୋର ପଣତକାନି ମୋ ଢ଼ାଲ ବର୍ଚ୍ଛା
ହାରେନି କାହିଁ
ତୋ ହସ ମୁହଁ ମୋର ବିଜୟଟୀକା।।
ଜନନୀ ମୋର,
ମୁଁ ନୁହେଁ ଜାଣିଛି ଶ୍ରବଣକୁମାର
ମୋ ଟିକି ହୃଦେ ତୋ ଜାଗା ଅକୁପାର
ଜାଣିଛି ସଦା
ତୋ ସେବାରେ ମନ ଏ କୁନି ପୁଅର।।


ପ୍ରଦ୍ୟୁମ୍ନ ରଞ୍ଜନ ସାହୁ, ଶିକ୍ଷକ
ଗଙ୍ଗାଧରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ହରିପୁରଶାସନ, ନାଚୁଣୀ, ଖୋରଧା
ମୋ- ୮୮୯୫୮୮୬୨୮୮

Post a Comment

0Comments
Post a Comment (0)