କିଏ ସାଜେ ଏଠି ପିହୁଳା ଏଣ୍ଡୁଅ
ବଦଳାଇ ନିଜ ରଙ୍ଗ
କ୍ଷମତା ବଳରେ ବଳିୟାନ ହୋଇ
ଦେଖାଏ ନିଜର ଢଙ୍ଗ ।।
କିଏ ଦିଏ ଚାଟି ଗରିବ ର ମାଟି
ହୋଇ କଲା ଧଳା ସାଙ୍ଗ
କିଏ ଦଳିଦିଏ ନିଷ୍ପାପ କଳି କୁ
ପିଇ ସେ ଗଞ୍ଜାଇ, ଭାଙ୍ଗ।।
କିଏ ଚାହେଁ ହବ ସପନ ସୁନ୍ଦରୀ
କୋଟି ହୃଦୟ ର ରାଣୀ
ବାକଚତୁରୀ ରେ ନିଗାଡ଼ି ପାରିବ
ଶୁଖିଲା କାଠରୁ ପାଣି ।।
କିଏ ଚାହେଁ ପୁଣି ହବାକୁ କୁଆଁରୀ
ନାଳରେ ପକାଇ ଛୁଆ
କିଏ ସେ ଚାହୁଁଛି ବିନା ପ୍ରସବରେ
ହୋଇବ ପୁଅର ମାଆ ।।
କିଏ ଚାହେଁ ଏଠି ହବ କୋଟିପତି
ହୃତପିଣ୍ଡ, ବୃକକ୍ ବିକି
ଠିକାଦାର ପଣେ ବଡ଼ ବଡୁଆ କେ
ଛଡ଼,ସିମେଣ୍ଟ କୁ ଢ଼ୋକି ।।
ଭଦ ଭଦଳିଆ ସାଜି ପୁଣି କିଏ
ଡାକି ନିଏ ହାଣ ମୁହେଁ
ଧୋବ ଧଉଳିଆ ଶୋଷଣ କରନ୍ତି
ଛାରପୋକ ଯେହ୍ନେ ଦେହେ ।।
ସଭିଏଁ ତ ଏଠି ବ୍ୟସ୍ତ,ବିବ୍ରତ
ଧନ ଅରଜିବା ପାଇଁ
ମାନ ସନମାନ ଚୁଲିକୁ ଗଲାଣି
ମନ ବୋଲି କିଛି ନାହିଁ ।।
ଅର୍ଥ ପରା ସବୁ ଅନର୍ଥ କାରଣ
ମନ ରଖ ବାବୁ ତୁହି
ଅର୍ଥ ଲାଳସା ଟି ଚିତ କୁ ବୁଡାଏ
ଧ୍ବଂସ କରେ ସ୍ବର୍ଣ୍ଣ ମହି ।।
ରୋଜି ମିଶ୍ର ।
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା ।।
ସବୁରି ମୂଳରେ ଅର୍ଥ - ରଶ୍ମି ରଞ୍ଜିତା ମିଶ୍ର (ରୋଜି)
August 20, 2018
0
