ସତେକି ମିଳିବ ତୁମ ଦରଶନ
ଅପେକ୍ଷାର ହେବ ଇତି
ନନ୍ଦିଘୋଷ ରଥ ଛୁଇଁକି ପାରିବି
ମୋକ୍ଷ ହେବ ମୋତେ ପ୍ରାପ୍ତି ।।
ପବିତ୍ର ହୋଇବ ଏ ବେନି ନୟନ
ରଥରେ ତୁମକୁ ଦେଖି
ବହିଯିବ ଯେତେ ଆନନ୍ଦର ଅଶ୍ରୁ
କେମିତି ପାରିବି ରୋକି ।।
ଘୋଷଯାତ୍ରା ତୁମ ଶେଷ ହେଲାପରେ
ରହିବ ମାଉସୀ ଘରେ
ଫେରିବାକୁ ତୁମ ଚାହିଁଥିବି ବାଟ
ଅପଲକ ନୟନରେ ।।
ବାହୁଡ଼ିବ ତୁମେ ହେ ବାହୁଡ଼ା ବ୍ରହ୍ମ
ଗୁଣ୍ଡିଚାରୁ ଶ୍ରୀମନ୍ଦିର
ନାଟ ମଣ୍ଡପରେ ପୁଣି ତ ବାଜିବ
ଦେବଦାସୀର ଘୁଙ୍ଗୁର ।।
ନିର୍ଜନତା ଭାଙ୍ଗି ଗହଳି ଲାଗିବ
ବାଇଶି ପାହାଚ ତଳେ
ଷାଠିଏ ପାଉଠି ମହକି ଉଠିବ
ଆନନ୍ଦ ବଜାର କୋଳେ ।।
ପୁଣି ବିରାଜୀବ ରତ୍ନ ସିଂହାସନେ
ଚତୁର୍ଦ୍ଧାମୂରତି ସାଜି
ପ୍ରକମ୍ପିତ ହେବ ଶ୍ରୀମନ୍ଦିର ବେଢ଼ା
ଶଙ୍ଖ ଘଣ୍ଟ ଧ୍ୱନି ବାଜି ।।
ସାଲବେଗ ପରି ଡାକ ମୋ ଶୁଣିବ
ଦେଖେଇବ ରଥଯାତ
ଆର ଜନମକୁ କରିବ ସେବକ
ହେବି ତୁମ ସେବାୟତ ।।
ପ୍ରଶାନ୍ତ କୁମାର ପଧାନ
ଗ୍ରାମ -ବୁରମୁଣ୍ଡା, ଥାନା-ଗାଇସିଲାଟ, ଜିଲ୍ଳା-ବରଗଡ
ମୋ-୯୯୩୭୭୪୫୪୯୭
ରଥଯାତ୍ରା - ପ୍ରଶାନ୍ତ କୁମାର ପ୍ରଧାନ
August 19, 2018
0
