ଅମ୍ବର ଶୋଭାକୁ ବହୁଗୁଣ କରି
ତୋଫା ତୋଫା ଦିଶୁଥାଓ,
ସଭିଙ୍କ ମନକୁ କିଣି ନିଅ ତୁମେ
ତାରା ମେଳେ ହସୁଥାଓ।
ବିଜ୍ଞାନ କହୁଛି ଉପଗ୍ରହ ହେଲେ
ମାନେନା ଏଇ ମୋ ମନ,
ମା' କହୁଥିଲା ତୁମେ କାଳେ ମାମୁଁ
ଦୂର ଆକାଶର ଜହ୍ନ।
ଅଝଟ ହେଲେ ମୁଁ ବୁଝାଉଥିଲା ମା
ଜହ୍ନମାମୁଁ ବୋଲି କହି,
ତୁମକୁ ଦେଖାଇ ଶୋଇ ଦେଉଥିଲା
ନାନା ବାୟା ଗୀତ ଗାଇ।
ଖାଉ ନ ଥିଲେ ମୁଁ ଖୁଆଉଥିଲା ମା'
ଜହ୍ନମାମୁଁ ଡାକି ଡାକି ,
ଅନେକ କହିଛି ମୋ ହାତରେ ଆସି
ଖସି ପଡିବା ପାଇଁକି।
ଧରିବା ପାଇଁ ମୁଁ ବଢାଇଲି ହାତ
ତୁମେ କିନ୍ତୁ ଥିଲ ଦୂର,
ଧରା ଦେଲ ନାହିଁ ମୋର ଟିକି ହାତେ
ଆକାଶରେ ମାର ଠାର।
ନିଶାରେ ଆସୁଛ ଉଷାରେ ଯାଉଛ
ନୀତିନିୟମକୁ ମାନି,
ତୁମେ ତୁମ ସ୍ଥାନେ ଅଟଳ କାହିଁକି
ଏବେ ମୁ ପାରୁଛି ଜାଣି।
ଅଝଟ ମୋ ମନ ବୁଝି ସାରିଲାଣି
ଜୀବନର ଗୂଢ଼ ତତ୍ତ୍ୱ,
ଯିଏ ଯାହା ସ୍ଥାନେ ରହିଥିଲେ ସିନା
ବଢ଼ଇ ତା'ର ମହତ୍ତ୍ୱ।
ମୟୂରଝାଲିଆ, ରଣପୁର, ନୟାଗଡ଼
ଜହ୍ନମାମୁଁ - ପ୍ରୀତିପ୍ରିୟା ମହାନ୍ତି
August 24, 2018
0
