ରଜ ଦୋଳି କେଂ କଟ
ନାହିଁ ଭାଇ ମୁଣ୍ଡେ ସୁନା ମୁକୁଟ ଲୋ
ଜଞ୍ଜାଳ ଜାଲ ରେ ସେ ଛଟପଟ ।
ଝିଅ, ବୋହୁ ତୋଟାମାଳେ
ଜମାନ୍ତିନି ଭିଡ଼ ରଜ ଦୋଳିରେ ଲୋ
ଆଜି ପିଲାଚୋର ଡରେ ।
ଦୋଳି ର ସରାଗ ନାହିଁ
ଦୋଳି ଏବେ ଲାଗେ ବିଦ୍ୟାଳୟରେ ଲୋ
କୁନା,କୁନୁମୁନୁ ପାଇଁ ।
ନାହିଁ ସେହି ସଜବାଜ
ପାଦରେ ଅଳତା, ମୁଖେ ଖିଲି ପାନ
କୁଆରୀ ମନ ମଉଜ ।
ରଜ ପାନ ରେ ନାହିଁ ଶରଧା
ପଞ୍ଜାବୀ ପୁଡ଼ିଆ ମୁଚୁକୁନ୍ଦ ହସି
ପିଠିରେ ମାରଇ ବିଧା ।
ପୋଡ଼ପିଠା ସ୍ଵାଦ ଭୁଲି
ପିଜା,ବରଗର ନେଲେ ଆଦରି ଲୋ
ନାଳିଆ ବୋତଲ ଖୋଲି ।
କବାଡି, ବାଗୁଡି ଖେଳ
ସପନ ହେଲାଣି ରଜ ପରବେ ଲୋ
ଲାଗୁଛି ଜୁଆଡି ଭିଡ଼ ।
ଗଞ୍ଜା ଲଢେ଼ଇ ଚୁଲିକୁ ଗଲା
ତନ୍ଦୁରୀ ରୂପେ ପେଟରେ ପଶିଲା ଲୋ
ବଡ଼ ବଡୁଆଙ୍କ ମୁହେଁ ତାଲା ।
ନାହିଁ ସେ ପାଇକ ଠାଣି
ବର୍ଚ୍ଛା, ତଳୁଆର କାଳଙ୍କିଲାଣି ଲୋ
କଥା କଥାକେ ବନ୍ଧୁକ ବାଣୀ ।
ପରମ୍ପରା ରକ୍ଷା ପାଇଁ
ସହରୁ ଗାଁ କୁ ନ ଆସ ଧାଇଁ ହୋ
ଆଉ ଗାଁ ଆଗଭଳି ନାହିଁ ।
ନାହିଁ କା' ମନେ ସରାଗ
ରଜ ପରବକୁ ପାଳିବେ ଭାଳି ଲୋ
ରଖି ଭାଇଚାରା ଭାବ ।
ରୋଜି ମିଶ୍ର
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା
ରଜ ମଉଜ - ରଶ୍ମି ରଞ୍ଜିତା ମିଶ୍ର (ରୋଜି)
August 19, 2018
0
