ତୋ ନାମ ତୁଣ୍ଡରେ ଥିବ ମୋର - ଘନଶ୍ୟାମ ସାହୁ

0
ମନେପଡେ ମୋର ସେ ବାଲ୍ୟ କାଳର
ସାଥି ଧୂଳି ବାଲି ଖେଳ ଘର
ମିଛେ ମିଛେ ହୁଏ କିଣା ବିକା ପୁଣି
କେବେ ତ କଣ୍ଢେଇ ବାହାଘର
ଅବା ରଥଯାତ୍ରା ଜଗା ତୋର । ।୦।
ମାଟିରେ ଗଢିଛି ଏଇ ହାତେ ମୁହିଁ
ତୋହର ମୂରତି ଚକା ଆଖି
ଟିକି ରଥ କରି ବସାଇ ଦେଇ ମୁଁ
ସଜାଇଛି ନାନା ଫୁଲ ଯୋଖି
ସାଙ୍ଗ ସାଥି ଆଣି ଦଉଡିରେ ଟାଣି
ବୁଲାଇଛି ତୋତେ ରଥେ ମୋର ।।୧।
ଯେବେ ଆସିଛି ତୋ ଦରଶନ ପାଇଁ
ପୂରୁବ ସ୍ମୃତି ମୋ ମନେ ଆସେ
ବାଲିରଥ ଗଢ଼ି ମହୋଦଧି ତୀରେ
ବାଲିରେ ତୋ ରୂପ ଗଢ଼ି ବସେ
ଭକ୍ତ ବଳରାମ ଭାବେ ମୁଁ ହୁଅନ୍ତି
ଡାକିଲେ ଆସିବୁ ମୋ ରଥର ।।୨।
ବୟସର ଅପରାହ୍ନେ କାଳିଆ ରେ
ବସି ମୋ ଶରୀର ରଥେ ତୁହି
ଉଚିତ ପଥରେ କଢ଼ାଇ ନେବୁ ତୁ
ମାୟା ମୋହ କାଟି ଯିବି ମୁହିଁ
ବାହୁଡ଼ି ଯିବି ମୁଁ ତୋହରି ଧାମକୁ
ତୋ ନାମ ତୁଣ୍ଡରେ ଥିବ ମୋର ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର - ୯୪୩୭୬୬୪୫୩୭,
ପିନ୍ କୋଡ - ୭୫୯୧୨୭

Post a Comment

0Comments
Post a Comment (0)