ବେଙ୍ଗ କହେ ବେଙ୍ଗୁଲୀ ଲୋ
ପୃଥ୍ୱୀ କ୍ଷଣ କ୍ଷଣକେ ଆନ
ଆଜି ଯେ ରାଜେନ୍ଦ୍ରାସନେ
ହୁଏ କାଲି ତା ଭାଗ୍ୟ ବାମ
ଏମିତି ପ୍ରକୃତି ନିୟମ । ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ… ।।
ଶିବ ଙ୍କ ଡମ୍ବରୁ ଡାକେ
ତାମ୍ବଡା, ତାମ୍ବଡା ବୋଲି
ନିଜର ବଡିମା କେତେ
ତୁ ଦେଖାଉରେ ମହାବଳି
ନିଶ୍ଚଁ ହେବ ଅଧୋପତନ । ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ….।।
ନଳରାଜା ଭାଗ୍ୟବଳେ
ରାଜ ଶିରୀ ସେ ଭୋଗୁଥିଲେ
କାଟିଲେ ତ ଘୋଡା ଘାସ
ପୁଣି ଭାଗ୍ୟର ଅବେଳରେ
ବିଧି ହୋଇଗଲା ତ ବାମ । ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ…।।
ରାତି ପାହି ଥିଲେ ରାମ
ହୁଅନ୍ତେ ଅଯୋଧ୍ୟା ରାଜନ
ସୂର୍ଯ୍ୟୋଦୟ ହେଲା,ଭାଇ
ଜାୟା ସହ ଚଳିଲେ ବନ
ସମୟ ତ ବଳବାନ । ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ….।।
ଭାଗ୍ୟ ବଳ,ଅବଳରେ
ନିଜ ନିଜ କର୍ମର ଫଳେ
ସଂସାରେ ଜୀବ, ଜୀବନେ
ନିତ୍ୟ ସୁଖେ,ଦୁଃଖେ ବିହରେ
ଏହିତ ବିଧିର ବିଧାନ । ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ…।।
କହଇ ପ୍ରଫୁଲ୍ଲ ବାଇ
ଶୁଣ ମନ ତୁ ମନ ଦେଇ
ଅନିତ୍ୟ ସଂସାର ଏହି
ନକରି ରେ ମନେବଡାଇ
ସ୍ମର ସେହି ଚକାନୟନ । ବେଙ୍ଗଲୀ ଲୋ ପୃଥ୍ବୀ କ୍ଷଣ…।।
