ଦୂର ଗଗନରୁ ଆଣିବି ଚୋରାଇ
ତୁମପାଇଁ ଉଜ୍ଜ୍ବଳତା,
ବସୁନ୍ଧରା ସାରା ସୁମନ ସୁରଭି
ମଧୁ ଠାରୁ ମାଦକତା ।
ଦୁନିଆର ଯେତେ ନଦନଦୀ ପାଖୁ
ଆଣିବି ଗୋ ଉନ୍ମାଦନା,
ବିଶ୍ୱେ ଉଭା ଯେତେ ପାହାଡ଼ ପର୍ବତୁ
ବିଶ୍ବାସର ସମ୍ଭାବନା ।
ପ୍ରକୃତିରାଣୀ ଠୁ ଟିକିଏ ସୁ-ଶୋଭା
ମାଗି ଘଷିଦେବି ତନେ,
ଯାହା ସଞ୍ଚାରିବ ବଞ୍ଚିବାର ମୋହ
ତୁମରି ବେରସ ମନେ ।
ଛପ୍ନାକୋଟି ପ୍ରାଣୀ କୁଳଙ୍କୁ ମାଗିବି
ତାଙ୍କ ତିଳେ ତିଳେ ବେଳ,
ସଭିଙ୍କର ମିଶି ହେବ ତୁମପାଇଁ
ଅରବ ଅରବ କାଳ ।
ସଂସାର ଯାକର ଦେବାଦେବୀଙ୍କ ଠୁ
ଆଶୀର୍ବାଦ ଟିକେ ନେଇ,
ଚନ୍ଦନ ପରାୟ ତୁମ ରୁଗ୍ଣ ଦେହେ
ବୋଳି ରୋଗ ଦେବି ଧୋଇ ।
ଏତେ ସବୁ ପରେ ମରଣ ଆସିଲେ
ବିନତୀ କରିବି ତାରେ,
ତୁମରି ଜାଗାରେ ମତେ ନେଇ ଯାଉ
ଯିବି ପରମାନନ୍ଦରେ ।
ତୁମେ ମୋ ସପନ ତୁମେ ମୋ ଜୀବନ
ମଉଳା ମନର ଆଶା,
ହସି ହସି ମୁହିଁ ଯିବି ସବୁ ସହି
ଆସୁ ଯେତେ ଯାହା ଦଶା ।
ଗ୍ରହ ନକ୍ଷତ୍ରାଦି ସର୍ବ ଚରାଚର
ହୋଇବେ ଆମର ସାକ୍ଷୀ,
ଦୁଃଖର ଟିକିଏ ଧୂସର କୁହୁଡ଼ି
ପାରିବନି ଆଦୌ ଲାଖି ।
ବଞ୍ଚିବି ମରିବି ଯାହା ମୁଁ କରିବି
ସବୁକିଛି ତୁମପାଇଁ,
ତୁମବିନା ସଖି ଦୁନିଆରେ ମୋର
ଅସ୍ତିତ୍ବ ତ କିଛି ନାହିଁ ।
କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪
