ମୁଁ କବିଟିଏ
ରାସ୍ତାରେ ଚାଲୁ ଚାଲୁ
ଟୁକୁରା କାଗଜ ସବୁକୁ
ବୁଲା ପାଗଳ ଗୋଟାଇ
ତା ଅଖାରେ ଭର୍ତ୍ତି କଲାଭଳି
ଆଖିରେ ପଡୁଥିବା ସବୁ ଲେଖା କାଗଜ
ମୁଁ ବି ସାଉଁଟିଥାଏ
ଅକ୍ଷରରୁ ବ୍ରହ୍ମ ଖୋଜୁଥାଏ
କିଏ କେତେବେଳେ ମୋତେ
ଲଘୁ ମନ୍ତବ୍ୟ ଦେଇ କହିଦିଏ-
ବାୟାଟାଏ,
ମୁଁ କବିଟିଏ ।
ମୁଁ କବିଟିଏ,
ନିରୋଳା ଥାନ ଓ
ନିରୋଳା ଲଗ୍ନକୁ ଭଲପାଏ,
ମୋ କବିତା ରାଣୀର
ପ୍ରେମ ଭିତରେ ଜଡସଡ ହୋଇ
ରୂପେଲି ଚାନ୍ଦିନୀପଖଳା ରାତିରେ
ପାର୍କର କେଉଁ କୋଣରେ
ଅବା ବେଳାଭୂଇଁରେ ବସି
ନିଶାସକ୍ତ ମଦ୍ୟପ ପରି
ମନକୁ ମନ କେତେ ଗପିଯାଏ
ମୁଁ କବିଟିଏ ।
ମୁଁ କବିଟିଏ,
ଛାତିରେ ଛାତିଏ ଦରଦୀ ଭାବ ନେଇ
ଆଖିରେ ଆଖିଏ ଆଖିଏ ଅଞ୍ଜନ ନେସି
ଏ ସମାଜରେ
ଏ କୋଣରୁ ସେ କୋଣକୁ ବୁଲି
ମନକୁମନ ଖୋଜୁଥାଏ
ଭଲ ମଣିଷଟିଏ,
ମୁଁ କବିଟିଏ ।
ମୁଁ କବିଟିଏ,
ବୁଢିଆଣୀ ଦେହରୁ ବାହାରୁଥିବା
ପାଟସୂତା ଭଳି
ମୋ ମନରୁ ଉଚ୍ଛୁଳି ଆସୁଥିବା
ସାରସ୍ବତ ଭାବନାର ଭାଷା
ଅନ୍ୟ ଆଗରେ ନିବେଦିବା ପାଇଁ,
ଅରମା ବଣରେ
ବାଟ ହୁଡି ଚାଲୁଥିବା ଉତ୍ତରସୂରୀଙ୍କୁ
ଖଦ୍ୟୋତ ଭଳି ଆଲୋକ ଦେବାକୁ
ମୁଁ ସର୍ବଦା ଚେଷ୍ଟିତ ଥାଏ,
ବୁଝିବା ଲୋକର କବି
ଅବୁଝା ଲୋକ ଆଖିରେ
ବାୟାଟାଏ,
ମୁଁ କବିଟିଏ
ମୁଁ କବିଟିଏ ।
ତାପସ କୁଟୀର,
ବଇଣ୍ଡା, ଅନୁଗୋଳ ।
