(ପୁରୁଣା ଡାଏରୀ ଭିତରୁ ଗୋଟିଏ କବିତା)
ଗୋବର ଗାଡ଼ରେ ପଦ୍ମ ପରି
ତୁ ପୁଚି ଖେଳିଲୁ ଚଉରା ମୂଳରେ
ଅନିମନ୍ତ୍ରିତ ଅତିଥି ପରି
ଭାଉଖିଆ ଅନ୍ଧାରକୁ
ଖିଜେଇବାକୁ ଅନ୍ତତଃ ।
ତୁ'ଜଳିଲୁ ବୋଲି,
ବେଶି ନହେଲେ ବି
ଅଳ୍ପ କିଛି ଅନ୍ଧାର ଆପେ
ବାଟ କାଟି ଗଲେ
କିଛି କ୍ଷୁଧା ନିବାରିତ ହେଲେ
ଆଉ କିଛି ଜୀବନ ତେଜିଲେ ।
ଅଚନ୍ଦ୍ର ତାରା ଶର୍ବରୀରେ
ଗଲା ଭରି ନୂଆଁ ଉନ୍ମାଦନା
ପ୍ରତିଟି ମନେ ଜାଗିଲା ଆକାଂକ୍ଷା ନୂତନା
କିଛି କରିବାର ସମ୍ଭାବନା
ବୃନ୍ତଚ୍ୟୂତ ପୁଷ୍ପ କଲା
ନୂଆଁ ଜନ୍ମର ପରିକଳ୍ପନା ।
ମତେ
ଖୁବ୍ ଭଲ ଲାଗିଲା
କୋଟି ନିଧି ପାଇଲି ଯେମିତି ।
ହେଲେ ଅନ୍ଧାରର ବୟସ
ବଢ଼ି ବଢ଼ି ଗଲା ଯେବେ
ନିଶିଥିନୀର ଅଭିସାର ପାଇଁ ହେଉ
ଅବା କରାଳିର କରାଳ ପାଇଁ
ତୁ'ପରାଜିତ ସୈନିକ ପରି
ଶିର ପାତିଦେଲୁ
ଆଞ୍ଜୁଳେ ବିଷାକ୍ତ ପବନ ଚାପରେ ।
ସବୁ କିଛି ଛିନ୍ନବିଛିନ୍ନ ହେଲା
ଯାହା ଯାହା ଠିକ୍ ହେବାର ବାଟରେ ଥିଲା
ଏଇ ଟିକକ ପୂର୍ବରୁ ।
ତୁ'ପୁଣି ଜଳିଲୁ
ମତେ ଜମା ଭୁରିଲାନି
ତୁ' କାହିଁକି ଜଳିଲୁ
ଯଦି ତତେ ଲିଭିବାର ଥିଲା !
ଓଃ... ମୁଁ ଠିକ୍ ବୁଝିଲି ତାହେଲେ
ତୁ' ଜଳି ନାହୁଁ ଏଥରକ
ଅଦିନେ ଅନ୍ଧକାର ଗର୍ଭରେ
କାର୍ତ୍ତିକ ବୁଲୁଥିବା ଜୀବନ ମାନଙ୍କୁ
ଆଲୋକିତ କରିବାକୁ,
ଜଳିଛୁ... ନିଜ ଅପାରଗତାକୁ
ଲୁଚେଇବା ପାଇଁ ।
କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪
