ବାର ବରଷର ବାଳକଟିଏ
ପାଠରେ ଶାଠରେ ଉତ୍ତମ ସିଏ
ବାଡି ପଛପଟ ବଗିଚାରେ ଦିନେ
କୋଡି କୋଦାଳରେ
ଖୋଳୁଥିଲା ଦିନେ ଗାତ ଗୋଟିଏ । ୧
ଛୋଟ ପିଲାଟିଏ ଖୋଳୁଛି ଗାତ
ଦେଖି ବାପା ହେଲେ ବଡ ଚକିତ
ବୁଝି ପାରିଲେନି ପୁଅର ଏ କାମ
ନିକଟକୁ ଯାଇ
ସ୍ନେହେ ପଚାରିଲେ ତା`ର ଚରିତ । ୨
କାମରୁ ପୁଅଟି ଟେକିଲା ମଥା
ଲୁହେ ଭିଜୁଥିଲା ଆଖିର ପତା
ବାପାଙ୍କ ଆଖିରେ ଆଖିକୁ ମିଶାଇ
କୋହ ଚାପି ଚାପି
ଧୀର ଗମ୍ଭୀରେ କହିଲା କଥା । ୩
ତୁମ ପାଇଁ ବାପା ଖୋଳୁଛି ଗାତ
ପୁଅ ହିସାବରେ ଗୁରୁ ଦାୟିତ୍ବ
ଆଜିଠାରୁ ତାହା ସାରିଦେଇଥିଲେ
ଆଗାମୀ କାଲିକି
ଚିନ୍ତାର ଚାପୁ ରହିବି ମୁକ୍ତ । ୪
ବୁଝିଲେନି ବାପା ପୁଅର କଥା
ଭାବନାରେ ତାଙ୍କ ଘୂରିଲା ମଥା
ପଚାରିଲେ, "କହ କୋଉ ଦାୟିତ୍ବରେ
ଏଇ ପିଲାଦିନୁ
ମଥା ଘୂରାଇ ତୁ ପାଉଛୁ ବ୍ୟଥା ?" ୫
ପିଲାଟି କହିଲା, "କାଲି ସଞ୍ଜରେ
କଥା ହେଉଥିଲ ମାଆ ସାଙ୍ଗରେ
ସେଇବେଳେ ଜେଜେ ତୁମପାଖେ ଆସି
କୋର ଖଟଟିଏ
ବରାଦ କରିଲେ ଅଳି ଢଙ୍ଗରେ । ୬
ଚଟାଣରେ ଶୋଇ ପୀଡା ମୋ ଦେହ
ଘୋଳାବିନ୍ଧା ହୁଏ ଦୁଃଖ ଦୁଃସହ
ଏ ବୁଢା ବୟସେ ସମ୍ଭାଳି ହେଉନି
କେତେ ସହୁଥିବି
ରୋଗର ଯାତନା କହ ରେ ପୁଅ ?" ୭
ଜେଜେ ଗଲାପରେ ତୁମ କାନରେ
ମାଆ କହୁଥିଲା ଚାପା ଗଳାରେ
"ଆଉ କେତେଦିନେ ଗାତକୁ ଯିବେଟି
ବରାଦ ଦେଖୁନ
କେମିତି ହଉଚି କେଡେ ବାଗରେ । ୮
ଖଟ କିସ ହବ ବାଡିରେ ଗାତ
କାଲି ଖୋଳିଦିଅ ନକରି ମଠ"
ତୁମେ ହସିଦେଲ ମାଆର କଥାରେ
କହିଲନି କିଛି
ବୁଝିଲି ମୁଁ ମାଆ କଥାଟା ସତ । ୯
ତୁମେ ତ ଖୋଳିବ ଜେଜେଙ୍କ ଗାତ
ମୁଁ ହିଁ ତୁମର ଏକଲା ସୁତ
ତୁମେ ଜେଜେ ପାଇଁ, ମୁଁ ତୁମପାଇଁ
ଆଜିଠୁ ଖୋଳୁଛି
ହେଳା କରିବାଟା ନୁହେଁ ଉଚିତ ।" ୧୦
ଶୁଣି ପୁଅ କଥା ଚେତା ହଜିଲା
ବାପାଙ୍କ ମୁଣ୍ଡରେ ଜ୍ଞାନ ଆସିଲା
ନିଜ ଭୁଲ୍ ନିଜେ ବୁଝି ପାରିବାରୁ
ସେଦିନ ବଜାରୁ
ଜେଜେଙ୍କ ପାଇଁକି ଖଟ ଆସିଲା । ୧୧
ତାପସ କୁଟୀର, ବଇଣ୍ଡା,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ । ଦୂରଭାଷ- ୯୪୩୮୪୮୧୧୩୬
ଜେଜେଙ୍କ ପାଇଁକି ଖଟ ଆସିଲା - ରମେଶ ଚନ୍ଦ୍ର ମିଶ୍ର
July 17, 2018
0
