ଚାଲିଗଲ ତୁମେ କାହିଁ
ତୁମର ସେ ଦାନ ବକୁଳ ଉଦ୍ୟାନ
ଝୁରେ ଆଜି ତୁମ ପାଇଁ ।।
କାନ୍ଦୁଅଛି ଆଜି ଗୁମୁରି ଗୁମୁରି
ତା ମାଟି ପାଣି ପବନ
କାନ୍ଦେ ଗଛଲତା କାନ୍ଦଇ କୁସୁମ
ଯାହା ତୁମ ତପୋବନ ।।
ଆଦର୍ଶ ଶିକ୍ଷକ ଜନ୍ମିଥିଲ ତୁମେ
ସୁ ପୁତ୍ର ଉତ୍କଳ କୋଳେ
ମହାନ ନାୟକ ଥିଲ ହେ ମହାତ୍ମା
ଓଡିଶା ଆଜି ବି ଭାଳେ ।।
ତୁମେ ଗଲାପରେ ହସୁନାହିଁ ଫୁଲ
କୋଇଲି ଗାଉନି ଗୀତ
ଝରା ବଉଳର ମହକ ବାସୁନି
ସପନ ଲାଗେ ବସନ୍ତ ।।
ଖାଁ ଖାଁ ଲାଗେ ସୁଆଣ୍ଡୋ ଗ୍ରାମଟି
କେ ହେବ ଗରିବ ସାହା
ନିଜେ ଭୋକେ ରହି ଦୁଃଖୀ ଦରିଦ୍ରଙ୍କୁ
କରୁଥିଲ ସଦା ଆହା ।।
ଭୋକିଲା ଉଦର ଚିହ୍ନି ଥିଲ ତୁମେ
ଅନ୍ୟ ଦୁଃଖେ ଥିଲ ଦୁଃଖୀ
ସଂପୂର୍ଣ୍ଣ ଜୀବନ ସମର୍ପିତ କରି
ପର ସୁଖେ ଥିଲ ସୁଖି ।।
ତୁମ ପରି ନେତା ଖୋଜିଲେ ନ ମିଳେ
ନ୍ୟାୟ ନୀତି ଆଦର୍ଶର
ହେ ଉତ୍କଳମଣୀ ଫେରିଆସ ବାରେ
କରୁଛୁ କୋଟି ଜୁହାର ।।
ପାଠକ ସମାଜେ ଫୁଟାଇଛ ହସ
ଭେଟି କାବ୍ୟ ଉପହାର
ବନ୍ଦୀ ଆତ୍ମକଥା କାରାକବିତାକୁ
ସାହିତ୍ୟ କରେ କରେ ଶୃଙ୍ଗାର ।।
ଧନ୍ୟ ଧନ୍ୟ ତୁମେ ଅମର ମହାତ୍ମା
ଧନ୍ୟ ତୁମ ବିଦ୍ୟାଳୟ
ଆଜି ବି ସେ ମାଟି ଛୁଇଁଲେ ଲାଗୁଛି
ସତ୍ଯ ର ଏକ ନୀଳୟ ।।
ସେ ମାଟିର ଛାତ୍ର ଶିକ୍ଷକ ଅଟନ୍ତି
ମହା ମହା ଜ୍ଞାନୀ ରଥି
ମିଶ୍ର ମହାଶୟ ନିଆଁଖୁଣ୍ଟା ପରି
ଥିଲେ ସାହିତ୍ୟର ଜ୍ୟୋତି ।।
ସତ୍ଯବାଦୀ ଭୂମି ଚିର ଅମର ସେ
ବକୁଳବନକୁ ପାଇ
କେହି ଭୁଲିବେନି ଭୁଲିବେ ନାହିଁତ
ଆପଣଙ୍କ ସ୍ମୃତି ନେଇ ।।
ଛୁଇଁଲେ ସେ ମାଟି କହଇ କବିତା
ଜ୍ଞାନ ଭଣ୍ଡାରର କଥା
ନମସ୍ତେ ନମସ୍ତେ ହେ ବକୁଳବନ
ତୋ ପାଦେ ସଦା ମୋ ମଥା ।।
ଅଠରବାଟିଆ, ବାଲୁଗାଁ, ଖୋରଧା
