ଭୂମଣ୍ଡଳେ ଢାଳେ ଜଳ ଅବିଶ୍ରାନ୍ତ ଆକାଶର ବୁକୁ ଚିରି ।
କଳା ମେଘମାଳା ଅରୁଣ କିରଣ ହରଣ କରେ ଅଚିରେ
ଯେପରି ରାବଣ ସୀତାଙ୍କୁ ହରଣ କରିଲା ଛଦ୍ମ ବେଶରେ ।
ବନସ୍ତେ ଶାର୍ଦ୍ଦୁଳ ହେଣ୍ଟାଳ ଯେମନ୍ତ ତେମନ୍ତ ମେଘ ଗରଜେ
ଛାତି ଦୋହଲାଇ ମନ ଚହଲାଇ ଭୟ ହୃଦୟେ ସରଜେ
ଜାଦୁଗର ଜାଦୁ ଦେଖାଏ ଯେପରି ଚକ୍ଷୁ ବନ୍ଧନ କରି
ସାତରଙ୍ଗ ଇନ୍ଦ୍ରଧନୁ ଉଦ୍ଭାସିତ ହୋଇଥାଏ ସେହିପରି ।
କ୍ଷଣେ କ୍ଷଣେ କ୍ଷଣପ୍ରଭା ଚମକଇ ଘନ ଅନ୍ଧାର ଚିରି
ଦିଗେ ବିଦିଗେ ସେ ସଞ୍ଚରି ଯାଉଛି ପଲକେ ପୁଲକ ଭରି ।
କିଆ ଗୋହିରୀ ରୁ ଡ଼ାକଇ ଡାହୁକ ନଈତୁଠ ତଟୁ ଭେକ
ଶୋଷ ମେଣ୍ଟାଇବା ପାଇଁ ଆକାଶରେ ଚକର କାଟେ ଚାତକ ।
ଛତୁ ଛତାଟେକି ବେଙ୍ଗ ବାହାଘର ପାଟପୋକ ଧୀରଚାଲି
ନୀଳ ଗାଲିଚାରେ ହରରଙ୍ଗି ଫୁଲ ଧବଳ , ନେଳିଆ ନାଲି ।
ବରଷା ଆସିଲେ ମନୋରମ ରୂପ ରୂପେ ରୁପା଼ୟୀତ ହୋଇ
ଅହିଭୁଜ ନାଚେ ବନ ର ଝରଣା ଝରେ କୁଳୁ କୁଳୁ ଗାଇ ।
ତଡାଗ, ତଟିନୀ ନଦୀ,ନାଳ ଜଳେ ନିର୍ଧନୀ ପାଇଲା ଧନ
ସମାନ ଉତ୍ଫୁଲ୍ଲେ ନିଦାଘ ର ଅନ୍ତେ ପାଇ ବର୍ଷା ଜଳଦାନ ।
ଏହି ବର୍ଷା କାଳ ଦେଖି ଚାଷୀ କୁଳ ଆନନ୍ଦରେ ଆତ୍ମହରା
ବରଷା ଭରସା ଋତୁ ମଧ୍ୟେ ଶ୍ରେଷ୍ଠ ବିଭୁ ଆଶିଷ ରେ ଭରା ।
ମଙ୍ଗଳାଯୋଡି, ଖୋର୍ଦ୍ଧା
