ପୂର୍ବବର୍ତ୍ତୀ ଭାଗ

ଆଜି ବି ସେଇ ପାଟ ପିନ୍ଧିଛି ଯଶୋଦା ।ଏୈହ୍ୟ ସୁଲକ୍ଷଣୀର ବେଶ ସାଜି ଦୁନିଆରୁ ବିଦାୟ ନେବ ।ଦିନା ଥରିଲା ହାତରେ ଯଶୋଦାର ମଥାରେ ସିନ୍ଦୁର ପିନ୍ଧାଇ ଦେଲା । ଏ ଜନ୍ମର ବନ୍ଧନକୁ ଚୀର ସ୍ବୀକୃତି ପ୍ରଦାନ କଲା । ଆଉ ଏବେ ... ଖାଲି ଶୂନ୍ୟତାର ବିକଟାଳ ଉପତ୍ୟକାରେ ଝାଉଁଳା ପତ୍ରପରି ନିଜ ପତନକୁ ଅପେକ୍ଷା କରିବାକୁ ହେବ । ଶୁଣିବ ଶବ୍ଦ ଅନେକ । ହେଲେ ଗୋଟିଏ ବି ନିଜର ନ ଥିବ । କାନକୁ କ'ଣ କହି ବୋଧ କରିବ ? କେଉଁ ଗୀତର ସୁରକୁ ହୃଦୟରେ ସ୍ଥାନ ଦେବ ଗୁଣୁଗୁଣୁ ହେବାକୁ । ଆଖିକୁ କ'ଣ ଦେଖାଇବ ? କେଉଁ ରଙ୍ଗରେ ବୋଳି ହେବ ତନୂମନ ରଙ୍ଗିନୀର ଚିତା ସଜବାଜ କରି !ଆଉ କାହାକୁ କହି ତା'ର ଅଧୁରା ସ୍ବପ୍ନର ଶୂନ୍ୟ ସ୍ଥାନ ପୁରାକରିବ ? କାହା ପାଖେ ନିଜ ଛଳନାକୁ ସତର ପ୍ରଲେପ ଦେଇ ଚତୁର ପଣିଆ ଦେଖାଇବ ,ଆଉ କିଏ ସେ ସବୁ ବୁଝି ବୋକୀଟିଏ ଭଳି ଅଭିନୟ କରିବ ! ଧୀରେଧୀରେ ଦିନା ଅନ୍ୟ ଏକ ଅଶରିରୀ ଦୁନିଆରେ ପ୍ରବେଶ କରିସାରିଥିଲା ।ଯେଉଁଠାରେ ଘଡିଘଡିକେ ଆତ୍ମାଗୁଡିକ ରୂପ ବଦାଳାଉଥାନ୍ତି । ସେ କେବଳ ଜର୍ଜରୀତ ଶାଗୁଣାର ନିର୍ଦ୍ଦୟ ଖୁମ୍ପା ଖାଇ !କାନ ତା'ର ତାବଦା ହେଇଯାଉଥିଲା ଶାଗୁଣାର ଚିତ୍କାରରେ ।ଏଣେ ହୁଳହୁଳିର ଶବ୍ଦରେ ଚମକି ଉଠିଲା ଦିନା ।ପିଙ୍କୁର ଲୁହଭରା ମୁଁହ ଦେଖି ଫେରି ଆସିଲା ଦିନା ସେଇ ବିକୃତ ଦୁନିଆରୁ ।ପିଙ୍କୁ ଅସମ୍ଭବ ଭାବେ ତାକୁ ଭିଡି ଦାଣ୍ଡ ଦୁଆର ଆଡକୁ ହାତ ଦେଖାଉଥିଲା ... ବିଦାୟ ଯଶୋଦା...

ପିଙ୍କୁକୁ ଛାତିରେ ଚାପିଧରି ଦାଣ୍ଡକୁ ଆସିଲା । ରାମ ନାମ ସତ୍ୟ ହେ... ହୁଳହୁଳି ଭିତରେ ସେ ଦେଖୁଥିଲା ଚାରିପାଖର ମ୍ରୀୟମାଣ ହୃଦୟଗୁଡିକୁ ।ହଠାତ୍ ଦିନାର ପାଦ ଦୁଇଟା ଅଟକିଗଲେ !ଦେଖିଲା ,କିଛି ଦୂରରେ ଠିଆ ହୋଇଛି "ରାଜେଶ"-ତା'ର ବାଲ୍ୟ ବନ୍ଧୁ ,ସେବତୀର ବାପା ।କିଛି କ୍ଷଣ ନିଜକୁ ଭୁଲିଗଲା ଦିନା ।ସତେ ଯେମିତି ସେ ଏହି କ୍ଷଣୀ ରାଜେଶକୁ ଝୁଣି ବିଦାରି ଦେବ ତା'ର ମୁନିଆ ଥଣ୍ଟରେ ।କାଁଏ..କାଁଏ... ରଡିରେ କମ୍ପି ଉଠୁଥିଲା ଦିନାର ସର୍ବାଙ୍ଗ । "ଦିନେଶ"-- ରାଜେଶର କୋହ ଭରା ଡାକରେ ପ୍ରକୃତିସ୍ଥ ହେଲା ଦିନା ।ରାଜେଶର ମୁଁହରେ ଏକ ଅଦ୍ଭୁତ କରୁଣତାର ଚିତ୍କାର ଦେଖି ଆଶ୍ଚର୍ଯ୍ୟ ହେଇଗଲା ।ସତେ ଯେମିତି ରାଜେଶ କେଉଁ ରାଇଜର ଶାଗୁଣା ଦରବାରରୁ ନ୍ୟାୟ ଭିକ୍ଷାକରି ଫେରିଛି ...! କ୍ରମଶଃ ଆଗକୁ ପଢନ୍ତୁ




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା