“ଅରୁକ୍ଷ” ଚମ୍ପୁ କାବ୍ୟ ରୁ ‘ଅ’ ଚମ୍ପୁ
“ଅ” ରାଗ – ତୋଡ଼ି ଜଙ୍ଗଳା

ଅଦ୍ରିରାଜ ରେ ହର ହରଷେ ଅଧିଷ୍ଠାନ (ପଦ)
ଅକାତ ର ପ୍ରୀତିଧାରା ଅକାତରେ ବହେ ପରା
ଅଗେ ଷଡ଼ଋତୁ ଅଧିଷ୍ଠାନ ॥୧॥
ଅଳି ନବପୁଷ୍ପେ ମିଳି ଅଳି ବିନା ରଚି କେଳି
ଅତନୁ ପୀଡ଼ା ରଚେ ବହନ ॥୨॥
ଅପର୍ଣ୍ଣା ଯେ ନବବଧୁ ଅପଘନ ଚନ୍ଦ୍ର ବିଧୂ
ଅଳମ୍ବୁଷା ବ୍ରୀଡ଼ାରେ ସମାନ ॥୩॥
ଅନ୍ତିକ ପୀରତି ତାର ଅନ୍ତିମେ ତୋଷଇ ହର
ଅନ୍ନଦା ସହବାସେ ସୁମନ ॥୪॥
ଅରିଷ୍ଟ ଅଦ୍ରୁଷ୍ଟ କୁଳେ ଅରିନ୍ଦମ ସୁତ ହେଲେ
ଅରି ଶେଷ ନିଶ୍ଚୟେ ବହନ ॥୫॥
ଅମ୍ବିକା ଗର୍ଭ ସନ୍ତାନ ଅବାର୍ପିବ ତ୍ରିଭୂବନ
ଅଯୋଗ ଅରି ନବ ଅୟନ ॥୬॥
ଅମ୍ବିକା ନାଥ ଅନ୍ତରେ ଅନ୍ତ ରେ ଚିତ୍ତେ ବିଚାରେ
ଅରାଳ ଚିତ୍ତେ ଶ୍ରୁଙ୍ଗାର ଘନ ॥୭॥







“ଅରୁକ୍ଷ” ଚମ୍ପୁ କାବ୍ୟ ରୁ ‘ଆ’ ଚମ୍ପୁ
“ଆ” ରାଗ – ମୋହନା


ଆଉ କେତେ ସହିବି ପୂଷା ! ପ୍ରାଣ ଦହିବି (ପଦ)
ଆକୁଳେ ଆକୁଳ ଚିତ୍ତ ଆକୁଳେ ଦୁଃଖାପ୍ରମିତ
ଆଶ୍ରୟ ଆଶା କି ମୁଁ ବହିବି ॥୧॥
ଆଜକୁ ପନ୍ଦର ବର୍ଷ ଆଜନ୍ମ ଥିବକି ହର୍ଷ
ଆଚରନ୍ତି କେଳି ହରାଜିବି ॥୨॥
ଆଶୁତୋଷ ତୋଷ ହୋଇ ଆଶୁ ଆପଦେ ନ ଧ୍ୟାଇ
ଆପେ ତୋଷନ୍ତି ପାର୍ବତୀ ଦେବୀ ॥୩॥
ଆଧିକ୍ୟ ସେ ଗୌରୀହର ଆଧିକ୍ୟ ସେ ଅଙ୍ଗଭାର
ଆଉ କେତେ କାଳ ବା ସହିବି ॥୪॥
ଆପଜ ପେଶଳ ଦେହେ ଆପଣା ସମ କେ ଶୋହେ
ଆବର ଗୁରୁ ଭାର ମନ୍ଦବି ॥୫॥
ଆକ୍ରନ୍ଦନ କ୍ଷୀଣ ସ୍ୱର ଆକ୍ରମ ମହୀ ମୁଖର
ଆକ୍ଷେପେ ବିମୁଖ ଯେ ମୁଖବି ॥୬॥
ଆଖିଏ ଅଶ୍ରୁକୁ ବହି ଆଦିତ୍ୟ ପାଶରେ ମହୀ
ଆଙ୍କିଲା ନେତ୍ରେ ବିଚିତ୍ର ଛବି ॥୭॥
ଆକ୍ରାନ୍ତ ହୋଇଛି ଯେବେ ଆକ୍ରାନ୍ତ ହୋଇବି ତେବେ
ଆକ୍ରମେ ପୀଡ଼ା କି ପାଉଥିବି ॥୮॥
ଆଗତ ପାଞ୍ଚ ବିଚାର ଆଗତ ବିପଦ ସାର
ଆଉ କି ଏ ପରାଣେ ସହିବି ॥୯॥
ଆନୁଗତ୍ୟ ପାଦଗତେ ଆନୁଗ୍ରହ କର ମୋତେ
ଆଦିତ୍ୟ ! କେମନ୍ତେ ମୁକ୍ତ ହେବି ॥୧୦॥










ହେମନ୍ତ କୁମାର ବରାଇ, ଗ୍ରାମ/ପୋ-ରୁଷୁଡା଼, ଜି-ବରଗଡ଼, ମୋ-୮୯୧୭୫୧୮୭୭୪
ପରବର୍ତ୍ତୀ ଅଧ୍ୟାୟ