ଭାରତର ଅନେକ ଶକ୍ତିପୀଠମାନଙ୍କ ମଧ୍ୟରୁ ଗଞ୍ଜାମର ‘ତାରାତାରିଣୀ’ ଅନ୍ୟତମ ।ଏହାର ଆଗ୍ନେୟକୁ ପ୍ରାୟ ପାଞ୍ଚ କି.ମି. ଦୂରରେ ‘ଆଙ୍ଗୁ’ ନାମକ ପଲ୍ଲୀଗ୍ରାମରେ ମାତା ଶ୍ରୀମତୀ ସୁରେଖା ଦେବୀ ଓ ପିତା ଶ୍ରୀ ମଧୁସୂଦନ ପଣ୍ଡାଙ୍କ ଔରସରୁ ୧୯୪୬ ମସିହା ଜ୍ୟେଷ୍ଠ ଶୁକ୍ଳ ଦ୍ଵିତୀୟା ତିଥିରେ କାବ୍ୟକାର ଶ୍ରୀ ଭାନୁହଂସଙ୍କ ଜନ୍ମ । କବି ଶ୍ରୀ ଭାନୁହଂସ ପଣ୍ଡାଙ୍କ ସହ ମୋର ପ୍ରଥମ ସାକ୍ଷାତ ହୁଏ ଛତ୍ରପୁର ସହରରେ ୨୦୦୧-୨୦୦୨ ମସିହାରେ । ଶ୍ରୀ ପଣ୍ଡା ଏକାଧାରରେ ଜଣେ ଜ୍ୟୋତିଷଜ୍ଞ, ସାହିତ୍ୟିକ, ନାଟ୍ୟକାର, ଗୀତିକାର ଓ ସଙ୍ଗୀତଜ୍ଞ । ମାସିକ ଜ୍ୟୋତିଷ ପତ୍ରିକା ‘ଭାଗ୍ୟରବି’ର ପ୍ରକାଶକ ଓ ସମ୍ପାଦକ ରୂପେ ଶ୍ରୀ ପଣ୍ଡାଙ୍କର ପ୍ରତିଷ୍ଠା ପ୍ରଣିଧାନ ଯୋଗ୍ୟ । ନିଜ ଗ୍ରାମ ଆଙ୍ଗୁରେ ‘ଶ୍ରୀ ତାରାତାରିଣୀ ଉଚ୍ଚ ବିଦ୍ୟାଳୟ’ ଓ ‘ଶ୍ରୀ ଶ୍ରୀ ଶ୍ରୀ ଇଶାନେଶ୍ଵର ପାଠାଗାର’ ର ପ୍ରତିଷ୍ଠାତା-ସଭାପତି ଭାବେ ସଭିଙ୍କୁ ପରିଚିତି ।

‘ସତୀ ସରୋଜା’ ଖଣ୍ଡକାବ୍ୟଟିରେ ଶ୍ରୀ ପଣ୍ଡାଙ୍କ ସରୋଜାଙ୍କ ସହ ଭାବର ଆଦାନପ୍ରଦାନ, ତାହାର ସୂର୍ଯ୍ୟଙ୍କ ଅର୍ଚ୍ଚନା, ପ୍ରେମ, ଭକ୍ତି, ଈର୍ଷ୍ୟା, ରାଗ, ଦ୍ଵେଷ, ମିଳନ, ଶ୍ରୂଙ୍ଗାର ଆଦିକୁ ଚମ୍ପୁ ଶୈଳୀରେ ଏବଂ ଚଉତିଶା ଢଙ୍ଗରେ ଅକ୍ଷରମାନଙ୍କୁ ସଜାଇ ବର୍ଣ୍ଣନା କରାଯାଇଛି । ବଙ୍ଗଳାଶ୍ରୀ ରାଗରେ ରଚିତ ସମଗ୍ର ଖଣ୍ଡକାବ୍ୟରେ କେତୋଟି ସ୍ଥାନୀୟ ଉପମା କାବ୍ୟଶ୍ରୀକୁ ସମୃଦ୍ଧ କରିଛି । ପୁରାଣ କାଳରୁ ଆରମ୍ଭ କରି ଆଧୁନିକ ସାହିତ୍ୟରେ ପଦ୍ମିନୀର ସୂର୍ଯ୍ୟଙ୍କ ପ୍ରତି ଏକନିଷ୍ଠ ପ୍ରେମ ବର୍ଣ୍ଣିତ । କିନ୍ତୁ ସେମାନଙ୍କ ପ୍ରେମ-ପ୍ରଣୟର କାବ୍ୟଭାବ ପରିକଳ୍ପନା କରିବାରେ ବୋଧେ ଶ୍ରୀ ଭାନୁହଂସ ପଣ୍ଡା ପ୍ରଥମ ।
କବିଙ୍କ ସଂପୂର୍ଣ୍ଣ ଭାବଧାରା ଓ ଉପସ୍ଥାପନା ମୋ ଭଳି ଏକ ସାମାନ୍ୟ ମଣିଷପାଇଁ ନିହାତି ଅସମ୍ଭବର ବିଷୟ । ତଥାପି ମୁଁ ମୋ ପ୍ରୟାଶରେ କିଛି କିଛି ପାଠକଙ୍କୁ ବୋଧଗମ୍ୟ କରାଉଛି । କବିଙ୍କ ଭାବନାରେ, ସୂର୍ଯ୍ୟାସ୍ତ ପରେ ଅସଂଯତ ଭଅଂରଟିଏ ଅଳି କରି ପଦ୍ମିନୀକୁ ଅସାଧୁ ପ୍ରୀତିପ୍ରାର୍ଥନା କରେ ଯାହା ସହ୍ୟ ନକରି ପଦ୍ମିନୀ ତାକୁ ନିଜ ବାହୁରେ ଆବଦ୍ଧ କରିନିଏ ।
ଅସଂଯତ ଅଳି୧ ଅଳି୨ ଅଝଟରେ
ଅମ୍ବୁଜର ଅନ୍ତରରେ
ଅବେଳେ ଅଙ୍କାଏ ଅବିଧି ଅମ୍ବୁଜ
ଅଶ୍ଵତ୍ଥଙ୍କର୩ ଅସ୍ତରେ ।
୧ (ଅଳି) - ଭ୍ରମର, ୨ (ଅଳି) - ଅଡୁଆ, ୩ (ଅଶ୍ଵତ୍ଥ) - ସୂର୍ଯ୍ୟ
ଅନ୍ୟାୟ ଅସହ୍ୟ ଅର୍ଥରେ ଅମ୍ବୁଜ
ଅଗିରଙ୍କୁ୪ ଅର୍ପିବାକୁ
ଅନତିକ୍ରମ୍ୟରେ୫ ଅଙ୍କ ଅକ୍ତିଆରେ
ଆବୋରଇ ଯେ ଅଳିକୁ ।
୪ (ଅଗିର) - ସୂର୍ଯ୍ୟ, ୫ (ଅନତିକ୍ରମ୍ୟ) - ଆବଦ୍ଧ
କଇଁର ଚନ୍ଦ୍ର ପ୍ରତି ପ୍ରେମ ଭଳି ପଦ୍ମିନୀ ମଧ୍ୟ ପାଗଳ ହୋଇ ନିଜ ପ୍ରିୟ ସୂର୍ଯ୍ୟର ଦର୍ଶନପାଇଁ ଚାହିଁ ରହିଥାଏ । ବର୍ଷାପରେ ସୂର୍ଯ୍ୟଙ୍କର ଉଷ୍ମ କିରଣକୁ ଦେହରେ ବୋଳିବା ପାଇଁ ଏକ ଲୟରେ, ଏକ ଲକ୍ଷ୍ୟରେ, ଏକ ଇଚ୍ଛାରେ ଉଚ୍ଛୁଳୁ ଥାଏ ପଦ୍ମିନୀ ।
ଉଦକୁ୬ ଉଦଗତ ଉନ୍ମତ୍ତ ଉତ୍ପଳ
ଉନ୍ମଜନ୍ମୁ୭ ଉତ୍ସାହେ ସେ
ଉସୁକାଏ ଉର୍ଜୀ୮ ଉଷସୁ୯ ଉଲଙ୍ଗ୧୦
ଉଷ୍ମରଶ୍ମିର୧୧ ଉଚ୍ଛ୍ଵାସେ୧୨ ।
୬ (ଉଦକୁ) – ପାଣିରୁ, ୭ (ଉନ୍ମଜନ୍ମୁ) – ଜଳୁ ବାହାରୁ ବାହାରୁ, ୮ (ଉର୍ଜୀ) – ତେଜ, ୯ (ଉଷସୁ) – ଆକାଶୁ, ୧୦ (ଉଲଙ୍ଗ) – ଲଙ୍ଗଳା, ୧୧ (ଉଷ୍ମରଶ୍ମି) – ସୂର୍ଯ୍ୟ, ୧୨ (ଉଚ୍ଛ୍ଵାସେ) – ବିକାଶେ
ଉକୁଟେଇବ୧୩ ଯେ ଉଛୁଳେ ଉତ୍ପଳ
ଉଷ୍ମତା ଉଷ୍ମରଶ୍ମିରେ
ଏକୀଭୂତେ ଏବେ ଏକଲୟେ ଏଠି
ଏକମନେ ଏଷଣାରେ୧୪ ।
୧୩ (ଉକୁଟେଇବ) – ବୋଳିବ, ୧୪ (ଏଷଣା) – ଇଚ୍ଛା
ପଦ୍ମିନୀ ପୋଖରୀ ଜଳରେ ସୂର୍ଯ୍ୟଙ୍କ ପାଇଁ ତାମସାର ଶେଯ ତିଆରି କରିଛି । ତା’ ଉପରେ ସେ କଷ୍ଟ, ଶୋଷ ସବୁ ତୁଟାଇବ । ଅନ୍ଧାର ରାତିରେ, ତା’ ଗୋରା ଦେହରେ, ତୁଷାର ବସି ତା’ର ତାମସିକ ତାତିକୁ ବଢେଇ ଦେଇଛି । କିନ୍ତୁ ତୋଟିଯାଏଁ ପାଣିରେ ବୁଡି ସୂର୍ଯ୍ୟଙ୍କୁ ଅପେକ୍ଷା କରିଛି ପଦ୍ମିନୀ ।
ତଟାକ୧୪ ତାମରେ୧୫ ତିଆର କରିଛି
ତୁଙ୍ଗୀମ୧୬ ତମସା ତଳ୍ପ୧୭
ତହିଁ ତାମରସ୧୮ ତୁଟାଇବ ତୁଷ୍ଟେ
ତୃଟି, ତ୍ରାସ, ତୃଷ୍ଣା, ତାପ ।
୧୪ (ତଟାକ) – ପୋଖରୀ, ୧୫ (ତାମରେ) – ଜଳରେ, ୧୬ (ତୁଙ୍ଗୀମ) – ସୂର୍ଯ୍ୟ, ୧୭ (ତଳ୍ପ) – ଶେଯ, ୧୮ (ତାମରସ) – ପଦ୍ମ
ତାମସିକ୧୯ ତାତି ତୁଷାର ତେଜିଛି୨୦
ତିମିରେ ତୋରା ତନୁକୁ
ତୋଟିଯାଏଁ ତୋୟେ ତୋଫା ତାମରସ
ତାକେଇଛି ତରଣିଙ୍କୁ୨୧ ।
୧୯ (ତାମସିକ) – ଗର୍ହିତ, ୨୦ (ତେଜିଛି) – ବଢିଛି, ୨୧ (ତରଣି) – ସୂର୍ଯ୍ୟ
କାବ୍ୟ ଅନ୍ତରେ ସୂର୍ଯ୍ୟ ପଦ୍ମିନୀଙ୍କ ମିଳନର ଦୃଶ୍ୟ ଅତ୍ୟନ୍ତ ରମଣୀୟ ଓ ଶ୍ରୂଙ୍ଗାରଯୁକ୍ତ । ସୂର୍ଯ୍ୟ ପଦ୍ମିନୀକୁ କୋଳରେ ଧରି, ଯୁଡାକୁ ଖୋଲି, ଦେହସାରା ଚୁମ୍ବନ ଦେଇ, ପୁଷ୍କରିଣୀର ପାଣିରେ ତା’ ଗୋରା ଦେହକୁ ମନ୍ଥନ କରିବା, ପୁଣି ସୂର୍ଯ୍ୟର ବାହୁବନ୍ଧନରେ ପଦ୍ମିନୀ ଚିତ୍ ହୋଇ ଶାନ୍ତିରେ ଶୋଇଯିବା ଆଦି ଅଭିନବ କଳା-କୌଶଳ ଏହି କାବ୍ୟରେ ଦେଖାଯାଏ । ଓଡ଼ିଆ ସାହିତ୍ୟରେ ଅକ୍ଷର ନିୟମ ମୂଳକ କାବ୍ୟର ପ୍ରଥମ ନିଦର୍ଶନ ହେଉଛି ଦିନକୃଷ୍ଣ ଦାସଙ୍କ ‘ରସ କଲ୍ଲୋଳ’, ପୁଣି ପରେ ପରେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ, ବ୍ରଜନାଥ ଆଦି କବିଙ୍କ ପରି ଭାନୁହଂସଙ୍କ ‘ସତୀ ସରୋଜା’ ଏକ ଅସାଧାରଣ ପ୍ରୟତ୍ନ ।
କାବ୍ୟକାର – ଶ୍ରୀ ଭାନୁହଂସ ପଣ୍ଡା, ଛତ୍ରପୁର, ଗଞ୍ଜାମ – ୭୬୧୦୨୦, ମୋବାଇଲ-୭୫୦୪୦୩୦୯୦୬
ପ୍ରକାଶକ- ସୁଧାକର ପଣ୍ଡା, ଭୁବନେଶ୍ଵର-୩, ମୂଲ୍ୟ- ଟ ୧୫୦.୦୦ ଙ୍କା
ପ୍ରସ୍ତୁତି – ନରେଶ କୁମାର ବେହେରା
