ବହୁତଥର ଚେଷ୍ଟା କରିଛି ପଚରିବାପାଇଁ କିନ୍ତୁ ସାହାସ ହୋଇନି । ଦିନେ ସଞ୍ଜବେଳେ ସବିତା ଦେବୀ ଛାତକୁ ଯାଉଥିଲେ ଗଛରେ ପାଣି ଦେବା ପାଇଁ । ମୁଁ ବି ତାଙ୍କ ପଛରେ ସେଠିକି ଆସିଲି ଏଇମିତି ଧିରେ ଧିରେ ଆମ ଦୁହିଁଙ୍କର ବନ୍ଧୁତା ହୋଇଗଲା । ସବିତା ଦେବୀ ନିଜେ କୁହନ୍ତି ମୁ ତାଙ୍କର ପ୍ରଥମ ଆଉ ବୋଧ ହୁଏ ଶେଷ ବନ୍ଧୁ । ଏଇମିତି କିଛିଦିନ ବିତିଗଲା ପରେ ଦିନେ ମୁଁ ସାହସ କରି ପଚାରିଲି, ଭବିଥିଲି କାଳେ ବିରକ୍ତ ହେବେ କିନ୍ତୁ ସେମିତି କିଛି ହେଲାନି । ପ୍ରଥମ ଥର ତାଙ୍କ ଆଖିରେ ଭୟ ଦେଖିଲି, କିଛିକହିବା ପୁର୍ବରୁ ପାଖରେ ଥିବା ପାଣି ଗିଲାସଟିକୁ ପିଇଗଲେ ଆଉ କିଛିସମୟ ପରେ କହିଲେ, କିଛି ନାହିଁ ବାସ ଅଭ୍ୟାସରେ ପଡିଗଲାଣି ଯେ ଆଉ ଯାଉନି । ମୁ ଉଣେଇଶ ବର୍ଷର ଥିଲି, ବାହା ହୋଇ ଆସିଥିଲି, ମାଆ କାନେକାନେ କହିଥିଲା, ସ୍ୱାମୀ ହେଲେ ତୋ'ର ଦେବତା ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳିବୁ । ଅବାଧ୍ୟ ହେଲେ ବାପା ମାଆର ନାଁ ପଡିଯିବ । ବଧୁବେଶରେ ଆସିଛୁ ପୁଣି ଅସ୍ଥିରେ ବାହାରିବୁ । ମୁଁ ଠିକ ସେୟା ହିଁ କରି ଚାଲିଲି । ସ୍ୱାମୀଙ୍କୁ ସବୁ କାମ ଏକଦମ ସମୟରେ ଦରକାର୍, ନା ଟିକେ ଏପଟ ନା ସେପଟ, ଶବ୍ଦ ବିଲକୁଲ ପସନ୍ଦ ନଥିଲା । ଆଲାର୍ମ ଘଡି ଗୁଡିକ ଲାଗିଛି ତ କିନ୍ତୁ ଆବାଜ କଲା ମାତ୍ରେ ଜୋର ଜୋର କାନ୍ଥରେ ପିଟନ୍ତି । ମୁଁ ପଚାରିଲି କଣ ଘଡି ଗୁଡିକୁ ? ମୋ ଆଡେ ଚାହିଁ ସବିତା ଦେବୀ କହିଲେ, "ନା ମତେ" । ମୁଁ ଅବାକ ହୋଇ ଚାହିଁ ରହିଲି କେବଳ । ଘଡିର କଣ୍ଟା ସହ ମତେ ବୁଲେଇବା ସେ ଶିଖେଇ ଦେଇ ଯାଇଛନ୍ତି । ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମୀ କୋଳାହଳ ଜମା ସହିପାରନ୍ତିନି । ତେଣୁ ସବୁ ଛୁଆ ମୋର ବୋର୍ଡିଙ୍ଗ ସ୍କୁଲରେ ପାଠ ପଢିଲେ, ଆଉ ବାପାଙ୍କ ଏତାଦୃଶ ପ୍ରକୃତି ଦେଖି ଆଉ ଘରକୁ ଆସିଲେନି । ମୁଁ କିଛି ପଚାରିବା ପୁର୍ବରୁ ହିଁ ସେ କହିଲେ, ହଁ ମୁ ଜାଣିଛି କଣ ପଚାରିବ ମୁଁ କାହିଁକି ଏଇଠି ରହୁଛି ଏୟା ତ ? ମୁଁ ତାଙ୍କୁ ବହୁତ ଭଲପାଏ, ମତେ ଲାଗେ ସେ ବି ମତେ ଭଲ ପାଉଥିଲେ, କାରଣ ଦିନ ସାରା କୌଣସି ନା କୌଣସି କାରଣରୁ ସେ ମତେ ମାରିଥାନ୍ତି । କିନ୍ତୁ ସେ ହିଁ ସେ ଜଖମରେ ମଲମ ବି ଲଗାନ୍ତି । ସେ ମାନୁଥିଲେ ଯେ, କାଳେ ସ୍ତ୍ରୀ ସ୍ୱାମୀ ଠୁ ଆଗୁଆ ମରିବା କଥା, ତା' ହେଲେ ଯାଇତା'କୁ ସ୍ୱର୍ଗସୁଖ ମିଳିବ । ଶେଷଶଯ୍ୟାରେ ପଡିଥିବା ସମୟରେ, ସେ ମତେ କାନେ କାନେ କହିଥିଲେ ସାବି ତୁ ଭାବୁଚୁ ମୋ ପରେ ତୁ ଆଜାଦ ହୋଇଯିବୁ, ଏ ଘର ଛାଡି କୁଆଡେ ବି ଯିବୁନି ସାବି । ମୁଁ ଏଇ ଆଲାର୍ମ ଘଡି ଭିତରେ ରହି ତତେ ଚାହିଁ ରହିଛି, ଆଉ ଏପାରିରେ ତତେ ଅପେକ୍ଷା କରିଛି । ମୁଁ ସିନା ସେଠିକୁ ଆସିପାରିବିନି, କିନ୍ତୁ ଦିନେ ନା ଦିନେ ତୁ ତ ଏଠିକି ଆସିବୁ ଆଉ ସେତେବେଳେ... । ତମେ କଣ ଭାବୁଚ ମୁଁ ନିଜେ ଉଠୁଚି ଘଡି ବନ୍ଦ କରିବା ପାଇଁ ସେ ମତେ ଉଠେଇ ଦିଅନ୍ତି, ଜୋରକରି ।
ଏମିତି ଏକ ତର୍କର ମୁଁ କଣ ବା ଜବାବ ଦେବି, ଆଉ କଣ କହି ତାଙ୍କୁ ସେ ଭ୍ରମର ଦୁନିଆଁରୁ ବାହାରକୁ ଆଣିବି ମୁଁ ବୁଝିପାରୁନଥିଲି । କିଛି ପଚାରିବାକୁ ଉଦ୍ଦିଷ୍ଟ ହେଲା ବେଳେ ହିଁ ସେ କହିଲେ, ମୁଁ ଜାଣିଚି ଏସବୁ ଗୋଟେ ଭ୍ରମ, ମୋ ପିଲାମାନେ ଏ ଘରକୁ ଆସିବାକୁ ଜମା ଚାହୁଁ ନାହାନ୍ତି । ମତେ ବହୁତ ଥର ଡାକୁଛନ୍ତି ଏଠୁ ଚାଲିଯିବାକୁ କିନ୍ତୁ ମୁଁ ବି ସ୍ଥିର କରିସାରିଛି ବାହା ହୋଇ ସ୍ୱାମୀ ହାତ ଧରି ଏଇ ଘରକୁ ଆସିଥିଲି, ଆଉ ଏଇଠୁ କେବଳ ମୋ ଅସ୍ଥି ହିଁ ବାହାରକୁ ଯିବ । ହସି କି କହିଲେ ମୋର ଅଭ୍ୟାସ ହୋଇଗଲାଣି । ଏବେ.. ବର୍ତ୍ତମାନ ପୂଜା ସମୟ ହୋଇଗଲାଣି, ଘଡି ବନ୍ଦ କରିବାର ଅଛି ଯାଉଛି, କାଲି ଆସିବୁ ଘରକୁ, ନାତିର ଜନ୍ମଦିନ ତ ପିଠା କରିବି । ମୁଁ ଆଉ କିଛି କହିଲିନି, ହସି କି ହଁ ଭରିଲି । ଏଇଥିରେ ତାଙ୍କର ଖୁସି ଯଦି, ସେଥିରେ ବାଧା ଦେବା ଠିକ ହେବନି । ଏମିତି ବହୁତ ଦିନ ଚାଲିଗଲା, ମୋର ପରୀକ୍ଷା ଆଗକୁ ଥିଲା । ମୁଁ ପଢାପଢିରେ ଟିକେ ବ୍ୟସ୍ତ ଥିଲି, ତେଣୁ ସବିତା ମାଉସୀ ଘର ଆଡେ ଆଉ ଧ୍ୟାନ ଦେଇନଥିଲି । ସେଦିନ ଡେରି ଯାଏଁ ପଢି ପାହାନ୍ତାରୁ ଟିକେ ଆଖି ଲାଗିଥିଲା । ହଠାତ ତଳ ଘରୁ ଆଲାର୍ମ ଘଡିଟି ଜୋରରେ ବାଜି ଉଠିଲା । ମୋର ନିଦ ଭାଙ୍ଗିଗଲା ସହପାଠୀ ମାନେ ତଳକୁ ଧାଇଁଗଲେ ଆଉ ମୁଁ ? ମୁଁ ଘଟଣାଟି ର ମର୍ମ ଅନୁମାନ କରି ସାରିଥିଲି... ।
ପରମିତା ମିଶ୍ର, ଆମ୍ବପୁଆ ହାଉସିଂ ବୋର୍ଡ କଲୋନୀ, ବ୍ରହ୍ମପୁର
