ଏଇମିତି କଣ ସକାଳ ଆସି
ସଂଜ ହେଇଯାଉଥିଲା ସବୁଦିନ,
ଜୀବନରେ !
ସ୍ଵପ୍ନ ପଛରେ ଦଉଡୁ ଦଉଡୁ
ଜଣା ପଡେ ନାହିଁ ସମୟ
ଥାକ ଥାକ ହେଇ
ଏମିତି ଗୁନ୍ଥୀ ହେଇଯାଏ ସ୍ଵପ୍ନ ସବୁ ଯେ
ରାସ୍ତା ଅସରା ଲାଗେ,
ଠିକଣା ପରେ ଠିକଣା
ଆହୁରି କେତେ ତା ଆଗକୁ ଆଗକୁ
ଆଖି ପାଏ ନାହି, ସ୍ଵପ୍ନ ସରେ ନାହିଁ
ଖୁସି ଲାଗେ, ଷ୍ଟେସନ୍ ପରେ ଷ୍ଟେସନ୍
ଉପଲବ୍ଧି ପରେ ଉପଲବ୍ଧି
କୋଳାହଳ
ସଳିତା ଯେ ଜଳି ଜଳି ସରିଯିବ
ତା ପାଶୋର ହେଇ ଯାଇଥାଏ
ନିଦ ଭାଙ୍ଗିଲା ବେଳକୁ
ଗାଡି ହୁଏତ ପହଞ୍ଚି ଯାଇଥାଏ ଖୋରଧା
ୟା ପରେ ଶେଷ ଷ୍ଟପ୍ ପୁରୀ
ବାସ୍
ଏତେ ଜଲଦି ସରିଗଲା ରାସ୍ତା !
ଆଶ୍ଚର୍ଯ୍ୟ ଲାଗେ
ଇଚ୍ଛା ହୁଏ
ଅଟକେଇ ହୁଅନ୍ତା କି ଗାଡି
ଘୁଞ୍ଚି ଯାଆନ୍ତା କି ପୁରୀ
ଲାଗେ
ଆଉ ଟିକେ ଲମ୍ବି ଯାଆନ୍ତା କି ଦିନ ସବୁ !
ପଛରେ ଛାଡି ଆସିଥିବା ରାସ୍ତା ସବୁ ମନେ ପଡେ
ଆଉଥରେ ଚାଲିବାକୁ ଇଚ୍ଛା ହୁଏ
ସେଠି, ଅତୀତରେ
ବେଞ୍ଚ ରେ ଆଉ ଘଡିଏ ବସିବାକୁ
ଅପେକ୍ଷାରେ, କାଳେ
ଜୀବନ ବଦଳି ଯାଇଥାନ୍ତା ବୋଲି
ଅନ୍ୟ ରାସ୍ତା, ଅନ୍ୟ ଯାତ୍ରୀ
ଅନ୍ୟ ଏକ ସୂର୍ଯୋଦୟ ପାଇଁ
ଆହୁରି କେତେ କଣ କରିବାକୁ ଥିଲା
ମନେ ପଡେ
ଗାଡି କିନ୍ତୁ ପଛକୁ ଚାଲେନି
ହସ୍ପିଟାଲ୍ ରୁ ଘର, ପୁଣି ଘରୁ ହସ୍ପିଟାଲ୍
ଇଂଜେକସନ୍ ଆଉ ଟାବଲେଟ୍
ବା ମନ୍ଦିରରୁ ମନ୍ଦିର
ପାପ ଆଉ ପୁଣ୍ୟ ଗଣୁ ଗଣୁ
କେତେବେଳେ
ହଂସା ଉଡି ଯାଇଥାଏ ପୁରୀରେ
ଡକ୍ଟର ନୀଳମାଧବ କର
ଓଲଭରହାମ୍ପଟନ, ଇଂଲଣ୍ଡ
0 Comments
You can write now your valuable comments here. Off-topic comments may be removed or deleted without prior notice.