ଉଦୟନାଥ ଗୌଡ
ଅମୂଲ୍ୟ ନିବାସ, ତୁଳସୀ ନଗର, ବ୍ରହ୍ମପୁର

ମୁଁ କିଏ
ଏଠି ତର୍ଜମା ଦେବାକୁ,
ତୁମ ବୟସର
ହିସାବ ନେବାକୁ,
କେତେ ଲିପ୍ ଷ୍ଟିକ
ତୁମ ଓଠଧାରେ,
ଖୋଲିବାକୁ
ରଙ୍ଗ ପସରାର
ଭାନୁମତୀ ପେଡି
ତୁମ ଇଛାର ବାହାରେ !
ଅଭାବର ନଗ୍ନ ଦୂଆରେ
ମୁଁ ଖାଲି ରାତିକ ଅତିଥି
ତୁମ ରବରକି ଚମଡା ଦେହର,
କିଣା ଅଛି କେଇଟା ଟଙ୍କାରେ !
ମୋ ପୌରୁଷ, ଯଉବନ
ବନ୍ଦୀ ତୁମ ବାହୁ ବନ୍ଧନରେ
ସାମ୍ପୋନ୍ ଓ ସୋମରସ,
ବିଦେଶୀ ଅତର ଗନ୍ଧେ
ମୁଲାୟମ ଶେଯ ପରେ
ଶୀତତାପ ଉଷ୍ମ କୋଠରୀରେ !
କାହା ବିଶ୍ବାସକୁ କଳଙ୍କରେ ଧୋଇ
ବିଷଭାଣ୍ଡେ ଅମୃତ କଳ୍ପନା
ଚୁଆ ଚନ୍ଦନର,
ଅନ୍ଧାରରେ,
ଅନ୍ଧ ବିବେକୁ ବେକାଫୁ ବନାଇ
ବୟସର
ବୋଲ ମାନିବାରେ,
ତୁମ ଜୈବିକ ଲାଳସା,
ବାସନାର ବସନ୍ତକୁ
ସମ୍ଭୋଗର
ମୋହର ଦେବାରେ !
ମୋତେ ବା କଣ ମିଳିବ
ଖୋଜିବାରେ
ତୁମ ପ୍ରତିଷ୍ଠାର
ଆଦ୍ୟ ଆଉ ପ୍ରାନ୍ତ
କହିବାରେ
ତୁମେ କେତେ ଆତୁର ବିଭୋର
ପାପ ପ୍ରଣୟରେ,
କେତେ ପାରିବାର
ପାପ ବଜାରର
ଦେହଖେଳେ, ସମ୍ଭ୍ରାନ୍ତର
ସତରଞ୍ଜି ପରେ !
ନା ତୁମେ ଦେହଜିବୀ !
ନା ରୁପଜିବୀ !
ତୁମେ ଏବେ
କାହା
ପତିପ୍ରାଣା ଅର୍ଦ୍ଧାଙ୍ଗୀନୀ
ରାତି ଊଷ୍ମତାରେ,
ଦେହ ଆଉ ମନ ଭୋକ
ମେଣ୍ଟିଗଲା ପରେ !
ସକାଳକୁ ତୁମେ ସତୀ
ମୁଁ କିନ୍ତୁ ପୁରୁଷ ବେଶ୍ୟାଟେ
ସ୍ଖଳିତ ଚରିତ୍ର ଆଉ
ନିସ୍ବ, ଲମ୍ପଟଟେ
ତୁମ ନଜରରେ,
ଅର୍ଥକାମି ମଣିଷର
ଜୁଇପଠା, ଯାତନା ମଶାଣି
ଏଇ ସମାଜରେ !