ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ /୧୩, ସେକ୍ଟର- ୪, ରାଉରକେଲା

ହିରଣ୍ମୟ ବିଭାତେ ପାଦପେ ଅବନତେ
ଅର୍ପନ୍ତି କିବା ପୁଷ୍ପାଞ୍ଜଳି
କାକ ପିକ କୁକ୍କୁଟ ସ୍ବାଗତ ମନ୍ତ୍ରୋଚ୍ଚାଟ
ସୁରତେ ମଧୁର କାକଳି ।
ପ୍ରଜ୍ବଳ ବାଳଭାନୁ ବିଶାଳ ନବତନୁ
ବିରାଜି ଦିଏ ନବବାର୍ତ୍ତା
ଉନ୍ମଗ୍ନ ନିଦ୍ରାକୋଳୁ ବିକଚ ଉଷାକାଳୁ
ତତ୍ପର କ୍ଷେତେ କର୍ଷକର୍ତ୍ତା ।
ଜୀବନ ନଦୀତୀରେ ଗହଳ ଜନପୁରେ
ଉଲ୍ଲାସ କୋଟି ମନପ୍ରାଣେ
ବତ୍ସା ପ୍ରତି ଗୋମାତା ଅସରା ବ୍ୟାକୁଳତା
ସରାଗେ ବ୍ୟଗ୍ର ଦୁଗ୍ଧଦାନେ ।
ଜନନୀ ପାକଶାଳେ ଖାଦ୍ୟ ପ୍ରସ୍ତୁତିକାଳେ
ଶୀଘ୍ର କରେ ଅନ୍ନ ବ୍ୟଞ୍ଜନ
ମାତିଛନ୍ତି ପ୍ରବଳ ଚଞ୍ଚଳ ଶିଶୁବଳ
କରନ୍ତେ ବିଦ୍ୟା ଅଧ୍ୟୟନ ।
ଦୁର୍ଜନ ଦୁରାଚାରୀ ପେଚକ ଅପକାରୀ
ଆଶ୍ରିତ ଆପଣା କୋଟରେ
ଶୃଗାଳ ଛଦ୍ମବେଶୀ ଆତଙ୍କୀ ପ୍ରତିବେଶୀ
ଲୁଚିଲେଣି ଗିରି ଗୁହାରେ ।
ନିଦ୍ରା ତ୍ୟାଗି ହେ ଉଠ ନକର ଆଉ ମଠ
ଫାଟିଲାଣି ପୂର୍ବେ ସିନ୍ଦୁରା
ଆଲୋକ ଆସେ ଫେରି ଘନ ତିମିର ଚିରି
ଚଳ ଚଞ୍ଚଳ ବସୁନ୍ଧରା ।
ଜୀବନ ନଦୀ ଜଳେ ଜୀବିକା ବାହି ବଳେ
ଥିବା ଆମେ କର୍ମମୁଖର
ଆଳସ୍ୟ ପରିହାରି କର୍ତ୍ତବ୍ୟ ଅନୁସରି
ବୋଲାଇବା ଜ୍ଞାନୀ ପ୍ରବର ।