ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨, ଫୋନ୍ - ୭୯୭୮୧୯୨୨୨୭

ଶ୍ୟାମଳ ନୀରଦ କଳା ଅଙ୍ଗେ ପ୍ରୀତିରଙ୍ଗ ବୋଳା
ପ୍ରଭାତରୁ ଉଭା ଯାଇ ଯମୁନା କୂଳେ
ଚଉଷଠି ଭଙ୍ଗୀ କଳା ଘେନି ଶୋହେ ନନ୍ଦବଳା
ବାମେ କିବା ବାଏ ବେଣୁ କଦମ୍ବ ମୂଳେ
ସମ୍ମୋହନ କଲା କି ଡୋଳେ
ଅଧୀର କେକୀମାନସ ମହ୍ଲାର ଭୋଳେ ।

ନିତ୍ୟ ବସନ୍ତ ବିରାଜେ ମଧୁମାସ ମାୟା ସୃଜେ
କୁହୁକ ବଶେ କାମୋଦୀ କୂଜନ ତାନେ
ମଧୁର ମୁରଲୀ ବାଜେ ରାଈ କର୍ଣ୍ଣେ କ୍ଷଣେ ହଜେ
ବିମଳା ଲଳନା ଗୋରୀ ତନ୍ମୟ ମନେ
କଳକଣ୍ଠ ପ୍ରଣୟ ସ୍ବନେ
ନିରସେ ଭରେ ଉଲ୍ଲାସ ଚପଳା ପ୍ରାଣେ ।

କନ୍ଦର୍ପ ରୂପକୁ ଧରି ଆକର୍ଷେ ଗୋପ ବଲ୍ଲରୀ
କଉତୁକେ ଜଳକେଳି ସାଥେ ରଚଇ
ଗୋପନେ ବସନ ହରି କୁଞ୍ଜେ ସେ କୁଞ୍ଜବିହାରୀ
ତରୁଡାଳେ ଛଳେ ଘେନି କରେ ବାନ୍ଧଇ
ସମର୍ପଣ ଭାବେ ରସାଇ
ଅଧୀର ମରମେ ପ୍ରୀତି ଦିଏ ଭରାଇ ।

କେଶବ ସହିତେ ରାଈ ସୁରତି ଭୋଳରେ ବାଇ
ଅଭିସାରୀ ରସାଳସା ଲୀଳା ପ୍ରମାଣି
କାହ୍ନା ଦରଶନେ ଧାଇଁ ଜଞ୍ଜାଳ ଛାଡି ଆସଇ
କଟିରେ କଳସ ଧରି ନେବାକୁ ପାଣି
ଲୀଳାମୟ ଲୀଳାକୁ ଗୁଣି
ସୁଢଳ କଜଳ ଅକ୍ଷି ତ୍ରିଭଙ୍ଗୀ ଠାଣି ।

ବୃଷଭାନୁଙ୍କ କୁମାରୀ କାହ୍ନୁ ପାଶେ ଲାଜ କରି
ଜଳଦେ ଚନ୍ଦ୍ରମା ସମ ଦିଶେ ଶୋଭନ
ଦେଖାଇ ବଡ ଚାତୁରୀ ତ୍ବରିତେ ଶ୍ରୀକରେ ଧରି
ରାଧିକା ଶ୍ରୀଅଙ୍ଗେ ଢଙ୍ଗେ କରି ଚିତ୍ରଣ
ଅଧରେ ଦିଅନ୍ତି ଚୁମ୍ବନ
ସଘନେ ଆଶ୍ଳେଷ ପାଇ ହାସ ବଦନ ।

ବସନ୍ତ ରାସ ସଙ୍ଗୀତ ଚତୁର୍ଦିଗେ ମୁଖରିତ
ସଖୀ ମେଳେ ରାଈ ମନ ଅତି ହରଷ
ନକ୍ଷତ୍ର ମଧ୍ୟେ ଯେମନ୍ତ ପୂର୍ଣ୍ଣେନ୍ଦୁ ଦିଶେ ଶୋଭିତ
ଗୌରାଙ୍ଗୀ ଶ୍ରୀରାଧା ଅଙ୍ଗେ ପ୍ରୀତି ପରଶ
ବଂଶୀ ସ୍ବର କିବା ଅବଶ
ବିମ୍ବ ଅଧରେ କି ଆଜ ଭରା ପୀୟୁଷ ।

କଟି ତଟେ ପୀତାମ୍ବର ଅରୂପ ଶ୍ୟାମସୁନ୍ଦର
ମସ୍ତକରେ ଶିଖୀପୁଚ୍ଛ ନିରତ ଶୋହେ
ସଙ୍ଗେ ଭ୍ରାତା ହଳଧର ସୁଦାମା ସୁବଳ ବୀର
ଖଳ ନାଶନେ ମହିମା ଅପାର ବହେ
ଧେନୁ ବତ୍ସା ଗହଣେ ରହେ
ଗିରି ଗୋବର୍ଦ୍ଧନ ତୋଳି ଜନଙ୍କୁ ମୋହେ ।