ସିମାଞ୍ଚଳ ରଣା
ଗ୍ରାମ- କୁର୍ତ୍ତମଗଡ଼, ଥାନା- ତୁମୁଡିବନ୍ଧ, ଜିଲ୍ଲା- କନ୍ଧମାଳ

ଆଜ୍ଞା ନମସ୍କାର.. ଦେଖୁନାହାନ୍ତି ଚିଠି ଦିଆନିଆ ପ୍ରଥାଟା କେମିତି କୁଆଡେ ଲୁଚିଗଲାଣି, ହଁ ଲୁଚିବନି କେମିତି ? ଟଙ୍କା ୨ହଜାର ଦେଲେ କାମଚଳା ଆଣ୍ଡ୍ରୋଏଡ଼ ଫୋନ ହାତ ମୁଠାରେ । ହଉ ଛାଡ଼ନ୍ତୁ ! କିଏ କୋଉ ଫୋନ ଧରିଲ, ସେଥିରୁ ଆମର କି ଯାଏ ଆସେ । ନାଇଁ ଆଜ୍ଞା ଛାଡିଦେଲେ କେମିତି ହେବ, କଥାଟା ଯେତେବେଳେ ଆରମ୍ଭ ହେଇଛି, ବିସ୍ତୃତ କଥାଟା କହିବାକୁ ପଡିବନା । ଅଜ୍ଞା ଠିକ୍ କହିଲେ, ଅସଂପୂର୍ଣ୍ଣ ରହିଲେ ଆପଣ କହିବେ ବାୟା ବତୁଳ ପରି ମହାଶୟ କଣ ଲେଖି ଯାଉଛନ୍ତି । ଅଜ୍ଞା କଥା କ'ଣ କି ? ଆଜି ଫୋନସହ ମଧ୍ୟ ସାହିତ୍ୟ ଯୋଗ ହେଇଛି । କି ଅଜବ କଥା ? ନାଇଁ ଆଜ୍ଞା ନିରାଟ ସତ୍ୟ । ଦେଖୁ ନାହାଁନ୍ତି ସାହିତ୍ୟ ପ୍ରସାର ନିମନ୍ତେ ଏବେ ଗୁଡାଏ ସୋସିଆଲ ମିଡ଼ିଆରେ ସାହିତ୍ୟ ଅନୁଷ୍ଠାନ ତିଆରି ହେଲାଣି, ସୁଚାରୁରୂପେ ପରିଚାଳନା ହୋଇ କିଛି ଅନୁଷ୍ଠାନ ନଭଶ୍ଚୁମ୍ଭୀ ପ୍ରସାଦ ପରି ଦଣ୍ଡାୟମାନ ହେଲେଣି, ଆଉକିଛି ମାଟିରେ ମିଶି ଗଲାଣି ସହଯୋଗିତାର ଅଭାବ ଦେଖାଦେଇଥିବାରୁ । ଆଜ୍ଞା କଥାଟା କ'ଣ କହୁନାହାନ୍ତି ? ବ୍ୟସ୍ତ ହେଇଗଲେଣି ବୋଧେ, କହୁଛି ଶୁଣନ୍ତୁ.. ଆଜ୍ଞା କଥା କ'ଣ କି ? ଶ୍ରାବଣ ମାସ ନିରାମିଷ ଖାଇ ପାଟିଟା ଭାରି ପାଣିଚିଆ ଲାଗୁଥିଲା, ଭାବିଲି ଟିକେ ଧରମ ଭଉଣୀ ଘରକୁ ଯାଇ ଆମିଷ ଝୋଳ ଟିକେ ଖାଇଦେଇ ଆସିବି । ଦି-ହିପହରେ ଘରକୁ ଗୋଟେ ତାଲା ପକେଇ ବାହାରିପଡ଼ିଲି ଧରମ ଭଉଣୀ ଘରଆଡେ । ଝାଳନାଳ ହେଇ ପହଞ୍ଚିକି ଦେଖିଲି, କଣ୍ଢେଇ କାନ୍ଦୁଛି ।


“ଆଲୋ ତୁ କାନ୍ଦୁଛୁ କ'ଣ ପାଇଁ” ?


ଅନିଚ୍ଛାରେ ହେଉପଛେ ପଚାରିଦେଲି । ସେ କହିଲା, “ଭାଇ ବାପା ଫୋନ ନେଇଗଲେ” । ମୁଁ କହିଲି, “କ'ଣ ହେଲା ସେଇଠୁ.. ତୁ ଝିଅ ପିଲାଟା ଫୋନ କଣ ନିହାତି ଦରକାର” ? ସେ କହିଲା, “କେମିତି ହେବନି ଯେ ମୁଁ ପରା କବିତା ପୋଷ୍ଟ କରୁଥିଲି ସୋସିଆଲ ମିଡ଼ିଆରେ” ! ସେଇଠୁ କ'ଣ ହେଲା, ସେ କହିଲା ଆମରି ଦଳରୁ ଗୋଟେ ପୁଅ ଫୋନ କରି ରାତି ଦିନ ବିରକ୍ତ କଲା, ବାପାଙ୍କୁ କହିଲି ବାପା ଓଲଟା ମୋତେ ଗାଳି ଦେଲେ ଆଉ ଫୋନ ନେଇଗଲେ, ଏବେ ମୁଁ ଆଉ କବିତା ପୋଷ୍ଟ କରିପାରୁନି, “ମୋ ଲକ୍ଷ୍ୟ ଭାଙ୍ଗିଗଲା ଭାଇ” କହି କାନ୍ଦିପକେଇଲା । ଆଛା କହିଲେ ଅଜ୍ଞା, ଆଗରୁ ନମ୍ବର ଆଣିବାକୁ ହେଲେ କେତେ କାହାକୁ ଖୋସାମତ କରିବାକୁ ପଡୁଥିଲା, ଏବେ ଫେସବୁକ, ହ୍ଵାଟସଆପ ପରି ସୋସିଆଲ ମିଡ଼ିଆରେ ଫୋନ ନମ୍ବର ହାତପାନ୍ତାରେ ମିଳିଯାଉଛି, ହେଲେ କିଛି ଅସାଧୁ ବ୍ୟକ୍ତି ତାହାର ସୁଯୋଗ ନେଇ ଝିଅ ଓ ନାରୀ ମାନଙ୍କୁ ହଇରାଣ ହରକତ କରନ୍ତି । ଯଦି ସାହିତ୍ୟର ପ୍ରସାର ତଥା ଉନ୍ନତି ପାଇଁ ସୋସିଆଲ ଗଣମାଧ୍ୟମର ଆମେ ସାହଯ୍ୟ ନେବା, ସେଥିରେ ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି ଯଥା ନୂତନ ବନ୍ଧୁମିଳନ, ବିଶିଷ୍ଟ ସାହିତ୍ୟିକ ମାନଙ୍କ ସହ ସାକ୍ଷାତକାର, ନୂତନ ପିଢ଼ିର ଲେଖକ ଲେଖିକାଙ୍କୁ ଉତ୍ସାହ ଓ ଭରପୁର ପ୍ରେରଣା । ଯଦି ମନ୍ଦ ପ୍ରକୃତିର ଲୋକ ସୋସିଆଲ ମିଡିଆର ସେହି ନିର୍ଦ୍ଧିଷ୍ଟ ସଙ୍ଘରେ ରହି ଜଣେ ନାରୀକୁ ଅସଦବ୍ୟବହାର କରି, ନାରୀ କବିଟିକୁ ସାହିତ୍ୟର ଅଗ୍ରଗତି କ୍ଷେତ୍ରରେ ବାଧା ଦିଅନ୍ତି, ତେବେ ତାଙ୍କୁ କ'ଣ କୁହାଯିବ ? ମଣିଷ ? ନା ଆଉ କିଛି ?? ଛାଡ଼ନ୍ତୁ ଅଜ୍ଞା ଆଉ ଅଧିକ କ'ଣ କହିବି । ସେଇ ପୁରୁଣା କଥା “ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ” ।