ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଫୋନ୍ - ୭୯୭୮୧୯୨୨୨୭

ଧ୍ବଂସର ପାଦ ଶବ୍ଦରେ ତ୍ରସ୍ତ
ଦୁମ୍ ଦୁମ୍ ଦୁଲୁକୁଛି ଆଜିର ଏ ହରିଣୀ ମେଦିନୀ
ବ୍ୟାଧର ଡ଼ରରେ ନୁହଁ... ବରଂ
ସଭ୍ୟତାର ପଞ୍ଜରାରେ ବନ୍ଦୀ ଏ ମଣିଷ ପାଇଁ
ସଜ୍ଞାଧାରୀ ଅଚିହ୍ନା ଆକାରଟିଏ ଯେ ସ୍ବତଃସ୍ଫୂର୍ତ୍ତ !!
ଟଳମଳ ହୁଏ କମ୍ପମାନ ପାଦ
ଅସଂଖ୍ୟ ଆଶଙ୍କାରେ ଜରଜର ହୋଇ ,
କିଏ ଜାଣେ ଏକ୍ଷଣି ଅଟ୍ଟହାସ୍ୟ କରିବ ମନୁପୁତ୍ର
ନିଷ୍ଠୁର ଆନନ୍ଦରେ ହତ୍ୟା କରି ନିୟତକୁ ।
ଓହ୍ଲାଇ ଆସିବ ବୋମା ବର୍ଷଣକାରୀ ବାୟୁଯାନ
ଚରମ ବିନ୍ଦୁରେ ଠିଆ କରିବାକୁ
ଗୋଟିଏ ବିଚିତ୍ର ସଭ୍ୟତା , ଯେଉଁଠି ପୃଥ୍ବୀ ବାହାରେ
ଛିଡା ସେ ଲୋକଟା ଭାରଦଣ୍ଡଟେ ଧରି
ଗଡାଇ ନେବ ଏ ବର୍ତ୍ତୁଳାକାର ଗୋଲକକୁ ।
କଣ ଭାବୁଛ , ବୀଭତ୍ସତାର ଚରମବିନ୍ଦୁରେ ଝୁଲୁଥିବ
ତୁମ ସ୍ବପ୍ନ ଆଉ କଳ୍ପନାର ସଂସାର
କିସ ନ କରିଛ କି ଏ ଯାଏଁ ...
ଜଳକୁଣ୍ଡରେ ନବବଧୁର ଶବ, ଅଳତା ନ ଲିଭୁଣୁ
ଦେଖିନାହଁ ଏକତ୍ର ରୁଣ୍ଡ ହୋଇ ତଳକୁ ଝୁଙ୍କି
ସହର ନର୍ଦ୍ଦମାରେ କୁନି କୁନି ହାତ ଗୋଡ଼
ଅଥବା ରେଳଲାଇନ୍ ରେ କଟିଯାଇଥିବା
ଅପରିଚିତାର ଶବ ଓଭର୍ ବ୍ରିଜ୍ ରୁ ?
ଏକା କଥା ଫରକ୍ ନାହିଁ କୋଉଥିରେ ...
ଲଢେଇ ପରେ ମାଳମାଳ ହୋଇ ଦିଶିବ
ଏ ଚିତ୍ରପଟ - ଟିକେ ବହୁଳ ଆକାରରେ ଅବଶ୍ୟ ।
ଭାବ ନାହିଁ ସଭ୍ୟତା ଲୋପ ପାଇଯିବ ,
ରହିଯିବ ଚିନ୍ମୟ ବୀଜଟିଏ ପୃଥୁରାଜାଙ୍କ ହାତରେ
କର୍ଷଣ ପାଇଁ ଯାହା ସମୟ ଲାଗିବ ସିନା !!!