ପ୍ରସନ୍ନ କୁମାର ମାଦଳା
ଘର ନଂ-ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା

ଆଖିରୁ ହଜିଛି ନିଦ
ପାରୁଛ ତ କେହି ମହୀ ତଳେ ଦେହୀ
ଶୁଙ୍ଘାଇ ଦିଅ ହେ ଗଦ ।
ଦେହରେ ଭରିଛି ତାତି
ନ ପାରଇ ଶୋଇ ଛଟପଟ ହୋଇ
ଉଠୁଛି ପଡୁଛି ଛାତି ।
ବହଇ ଖର ନିଶ୍ବାସ
ବେଦନା ଉତ୍ତାରୁ ଆପଣା ଉପରୁ
ଯାଉଛି ତୁଟି ବିଶ୍ବାସ ।
ହିୟାରେ ଲାଗିଛି ନିଆଁ
କିଏ ସେହି ଗୋରୀ ମୋ ମନର ପରୀ
କରିଣ ଗଲା କିମିଆ ।
ଜଳଜଳ ଦିଶେ ମୁହଁ
ଅପୂର୍ବା ସୁନ୍ଦରୀ ଏକଥା କିପରି
କହିବି କାହାକୁ କହ ।
ଲାଗୁଅଛି ଛଟପଟ
ଧୈର୍ଯ୍ୟ ହରାଉଛି ଚେଇଁ ମୁଁ ଶୋଉଛି
ଗଡିଗଡି ସାରା ଖଟ ।
ଆଲୁଏ ଲାଗୁଛି ଡ଼ର
ଅନ୍ଧାର କରିଲେ ପଲକ ଖୋଲିଲେ
ଦିଶୁଅଛି ପାଶେ ମୋର ।
ପଦେ ବି ନକହି କଥା
ତା'ର ହସମୁଖ ଜାଳୁଅଛି ଦେଖ
ଦେଇ କି ବିରହ ବ୍ୟଥା ।
ଲଳିତା ଲବଙ୍ଗ ଲତା
ଦୂର କେଉଁ ଗଡେ ସ୍ମୃତିଟିଏ ଛାଡେ
ପଦେ ବି ନକହି କଥା ।
ମନର ବାସନ୍ତି ଆଜି
କାହିଁ କେତେ ଦୂରେ ରହି ବିରହରେ
ପାରୁଥିବ ମନେ ହେଜି ।