ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ ରେ ଲୁମ୍ବିନୀ ନଗର (ବର୍ତ୍ତମାନର ନେପାଳରେ ଅବସ୍ଥିତ) ରେ ଏକ ଶାକ୍ୟ କ୍ଷତ୍ରିୟ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶୁଦ୍ଧୋଧନ ଯିଏକି ଶାକ ସାମ୍ରାଜ୍ୟର ସମ୍ରାଟ ଥିଲେ । ମାତାଙ୍କ ନାମ ଥିଲା ମହାମାୟା, ସେ ଥିଲେ କୋଶଳ ରାଜବଂଶର ରାଜକନ୍ୟା, ମାତା ମହାମାୟାଙ୍କର ଅକାଳ ବିୟୋଗ ଘଟିବା ପରେ ଗୌତମ-ବୁଦ୍ଧ ତା'ଙ୍କ ସାବତ ମାଆ ଗୌତମୀଙ୍କ କୋଳରେ ବଢିଥିଲେ । ପ୍ରାପ୍ତ ବୟସ୍କ ହେବାପରେ ଗୌତମ-ବୁଦ୍ଧ ଯଶୋଧାରାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଔରସରୁ ଜନ୍ମିତ ଶିଶୁପୁତ୍ରର ନାମ ଥିଲା ରାହୁଳ । ହଠାତ ସାଂସାରିକ ମୋହମାୟା ପ୍ରତି ବିମୂଖ ହୋଇ ସୁନ୍ଦରୀ ପତ୍ନୀ, ନଅ ମାସର ଶିଶୁପୁତ୍ର ରାହୁଳ ଏବଂ ରାଜମହଲର ସୁଖ-ସ୍ୱାଚ୍ଛନ୍ଦ୍ୟଙ୍କୁ ଆଡେଇ ଦେଇ ସନ୍ନ୍ୟାସ ଗ୍ରହଣ କରିଥିଲେ ।