ମୁକ୍ତେଶ୍ଵରଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟ, ସୁନ୍ଦରପୁର
ଥରେ ଏକ ବାଘ ତା’ର ଶିକାର ଖୋଜୁଥିଲା । ଠିକ ସେହି ସମୟରେ ଏକ ହରିଣୀ ତା ସମ୍ମୁଖରେ ପଡିଲା ଓ ସେ ସେହି ହରିଣୀକୁ ଖାଇବାପାଇଁ କହିଲା । କିନ୍ତୁ ହରିଣୀଟି ତାକୁ ପ୍ରାର୍ଥନା କରି କହିଲା, “ହେ ବାଘ ରାଜା.. ମୁଁ ଅବଶ୍ୟ ତୁମର ଶୀକାର ହେବି, କିନ୍ତୁ ଥରେ ମାତ୍ର ମୋତେ ମୋ ସ୍ଵାମୀ ଓ ପିଲା ପାଖକୁ ଯିବାକୁ ଦିଅ, କାରଣ ମୋ ସ୍ୱାମୀଙ୍କ ଦେହ ବହୁତ ଖରାପ ଅଛି, ତେଣୁ ମୁଁ ମୋର ସ୍ଵାମୀଙ୍କୁ ଏହି ଔଷଧ ପତ୍ର ଦେଇ ପିଲାକୁ ଦେଖି ପୁଣି ତୁମ ପାଖକୁ ଫେରି ଆସିବି” । କିନ୍ତୁ ବାଘଟି କହିଲା, “ମୁଁ କେମିତି ବିଶ୍ଵାସ କରିବି ଯେ ତୁମେ ପୁଣି ମୋ ପାଖକୁ ଫେରି ଆସିବ ବୋଲି” । ହରିଣୀଟି ପ୍ରତିଜ୍ଞା କରି କହିଲା, “ମୁଁ କଥା ଦେଉଛି, ମୋ କାମ ସାରି ମୁଁ ନିଶ୍ଚୟ ତୁମ ପାଖକୁ ଫେରି ଆସିବି ଆଉ ତୁମ ଶୀକାର ହେବି” । ବାଘଟି ଚେତାବନୀ ଦେଇ କହିଲା, “ଠିକ ଅଛି ମୁଁ ତୁମ କଥାରଖି ତୁମକୁ ଯିବାପାଇଁ ଅନୁମତି ଦେଉଛି, କିନ୍ତୁ ତୁମେ ଯଦି ଫେରି ନଆସ ତାହାଲେ ତୁମ ପରିବାର ବିପଦରେ ପଡିବେ” ।
ହରିଣୀଟି ଘରକୁ ଫେରିଆସି ଆଖି ଛଳ ଛଳ ଅବସ୍ଥାରେ ତା’ର ସ୍ଵାମୀଙ୍କୁ ଔଷଧୀୟ ପତ୍ରଟି ଦେଇ, ପିଲାକୁ ଗେଲ କରି ବାଘକୁ ଦେଇଥିବା କଥା ଅନୁସାରେ ପୁଣି ଜଙ୍ଗଲକୁ ଫେରି ଆସିବାକୁ ବାହାରିଲା । ସମସ୍ତେ ପଚାରିଲେ, “ପୁଣି କୁଆଡେ ଯିବ” ? ହରିଣୀଟି ଜଙ୍ଗଲରେ ଘଟିଥିବା ସମସ୍ତ ଘଟଣା ନିଜ ପରିବାର ଲୋକଙ୍କ ଆଗରେ କହିଲା । ଏହା ଶୁଣି ପରିବାର ଲୋକ ପୁନର୍ବାର ଜଙ୍ଗଲକୁ ଯିବାପାଇଁ ହରିଣୀକୁ ବାରଣ କଲେ, ଦରକାର ପଡିଲେ ସେମାନେ ସମସ୍ତେ ହରିଣୀ ସହିତ ଜଙ୍ଗଲକୁ ମିଶି ଯିବେ । କିନ୍ତୁ ହରିଣୀ ନିଜ ପ୍ରତିଜ୍ଞା ନଭାଙ୍ଗି ଜଙ୍ଗଲକୁ ଯିବାପାଇଁ ବାହାରିବାରୁ ତା’ ସହିତ ନିଜ ସ୍ଵାମୀ ଓ ପିଲା ମଧ୍ୟ ବାହାରିଲେ ।
ଜଙ୍ଗଲରେ ବାଘଟି ହରିଣୀକୁ ସେମିତି ଅପେକ୍ଷା କରି ବସି ରହିଥିଲା । ସେ ଦେଖିଲା ହରିଣୀ ସହିତ ତା’ର ସ୍ଵାମୀ ଓ ପିଲା ମଧ୍ୟ ଆସିଛନ୍ତି । ସେମାନଙ୍କୁ ଦେଖି ବାଘଟି କହିଲା, “ମୋ ପାଖରେ କୌଣସି ବାହାନା ଚଳିବ ନାହିଁ, ମୁଁ ତୁମ ସମସ୍ତଙ୍କୁ ଶୀକାର କରିବି” । ବାଘଟିର ଏଭଳି କଥା ଶୁଣି ସମସ୍ତେ ଏକା ସ୍ଵରରେ କହିଲେ, “ଆମେ ପ୍ରସ୍ତୁତ ଅଛୁ ତୁମେ ଏଥର ଆମକୁ ଶୀକାର କରିପାର” । ତୁମେ ସମସ୍ତେ ପ୍ରସ୍ତୁତ ଅଛ ! ବାଘଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା । ବାଘର ଏକଥା ଶୁଣି ଶିଶୁ ହରିଣଟି କହିଲା, “ହେ ବାଘ ରାଜା, ପ୍ରଥମେ ତୁମେ ମତେ ଭୋଜନ କର, କାରଣ ମୁଁ ପିଲା ଅଟେ ଆଉ ମୋ ଦେହର ମାଂସ ତୁମକୁ ବହୁତ କଅଁଳିଆ ଲାଗିବ” । ସ୍ଵାମୀ ହରିଣଟି କହିଲା, “ନା ନା ତୁମେ ପ୍ରଥମେ ମୋ ଦେହର ମାଂସକୁ ଭୋଜନ କର, କାରଣ ମୁଁ ଏହି ଜଙ୍ଗଲର ସବୁଠୁ ସୁସ୍ଥ ସବଳ ଓ ଶକ୍ତିଶାଳି ହରିଣ, ମୋତେ ଭୋଜନ କଲେ ତୁମେ ମଧ୍ୟ ଖୁବ ଶକ୍ତିଶାଳୀ ହୋଇଯିବ” । ଶେଷରେ ନିଜ କଅଁଳା ଶିଶୁ ଓ ସ୍ୱାମୀଙ୍କ କଥାଶୁଣି ହରିଣୀଟି କହିଲା, “ହେ ବାଘ ରାଜା, ମୁଁ ତୁମର ପ୍ରକୃତ ଶୀକାର ଥିଲି ଆଉ ତୁମକୁ ବଚନ ଦେଇଥିଲି ଫେରିଆସି ତୁମ ଭୋଜନ ସାଜିବି ବୋଲି, ତେଣୁ କାଳ ବିଳମ୍ବ ନକରି ମତେ ଭୋଜନ କର ଆଉ ମୋ ସ୍ଵାମୀ ଓ ପିଲାଙ୍କୁ ଛାଡି ଦିଅ” ।
ହରିଣୀ ପରିବାରର ଏଭଳି ବଳିଦାନ ଦେଖି ବାଘଟି ଖୁବ ଆଶ୍ଚର୍ଯ୍ୟ ହେଲା । ବାଘଟି ଉତ୍ତର ଦେଲା, “ତୁମ ତ୍ୟାଗ ଆଉ ପାରିବାରିକ ସମ୍ପର୍କ ନିକଟରେ ମୁଁ ଆଜି ହାର ମାନିଛି, ତେଣୁ ମୁଁ ନିର୍ଣ୍ଣୟ କରିସାରିଛି ତୁମ ମଧ୍ୟରୁ ମୁଁ କାହାରିକୁ ହେଲେ ଶୀକାର କରିବି ନାହିଁ, ଏବେ ତୁମେ ସମସ୍ତେ ଖୁସି ମନରେ ତୁମ ଘରକୁ ଯାଇପାର” । ହରିଣୀ ତା’ର ପରିବାର ସହିତ ଖୁସିରେ ଘରକୁ ଫେରି ଆସିଲା ।
0 Comments
You can write now your valuable comments here. Off-topic comments may be removed or deleted without prior notice.