ଦାଶରଥି ସାହୁ
କଳମ୍ବ, ବଡସାହି, ଗଞ୍ଜାମ

ତେଲ ଲୁଣର ମୋ ଅଭାବ ସଂସାର
ପେଟ ଚାଖଣ୍ଡକ ପାଇଁ,
କରମ ଜଞ୍ଜାଳେ ତୋର ଶିରିକ୍ଷେତ୍ରେ
କାଳିଆ ପାରୁନି ଯାଇ ॥

ଟାଣି ପାରୁନାହିଁ ତୋର ନନ୍ଦିଘୋଷ
ବଡଦାଣ୍ଡେ ଠିଆ ହୋଇ,
ଏଇଠୁ କରୁଛି ଭୂମିଷ୍ଠ ପ୍ରଣାମ
ହେ ପ୍ରଭୁ କଳା ଗୋସାଇଁ ॥


ଗଗନ ପବନ ବାସୁଛି ଚନ୍ଦନ
ଦୟଣା ପଡୁଛି ଝରି,
ଭକ୍ତ ଭଗବାନ ମିଳନ ଖୁସିରେ
ବାଜେ ଶଙ୍ଖ ଭେରୀ ତୂରୀ ॥

ଅଢେଇ ଦିନିଆ ସବୁ ମିଛ ମାୟା
ସତ୍ୟ ତୁମେ ଜଗନ୍ନାଥ,
ସୁଖ ସୌଭାଗ୍ୟ ସଡକେ ଗଡାଅ ହେ
ସଭିଙ୍କ ଜୀବନ ରଥ ॥